ଭୂମିକମ୍ପର ୧୩ ଦିନ ପରେ ଉଦ୍ଧାର କାର୍ଯ୍ୟ ସରିଲା ତୁର୍କୀ : ଭୁଶୁଡ଼ିଛି ଦେଢ଼ ଲକ୍ଷ ବିଲ୍ଡିଂ, ୪୦,୬୮୯ ମୃତ
ଇସ୍ତାନବୁଲ : ତୁର୍କୀ ଓ ସିରିଆରେ ଗତ ୬ ତାରିଖରେ ଭୟଙ୍କର ଭୂମିକମ୍ପ ହୋଇଥିଲା । ଭୂମିକମ୍ପର ପ୍ରାୟ ଦୁଇ ସପ୍ତାହ ତଥା ୧୩ ଦିନ ପରେ ଉଦ୍ଧାର କାର୍ଯ୍ୟ ସମାପ୍ତ କଲା ତୁର୍କୀ । ତୁର୍କୀରେ ପ୍ରାୟ ଦେଢ଼ ଲକ୍ଷ ବିଲ୍ଡିଂ ଭୁଶୁଡ଼ି ଥିବାବେଳେ ୪୦ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ତୁର୍କୀ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ସୂଚନା ଦେଇଛି ।
ଅଙ୍କାରାରେ ସଂସ୍ଥାର ମୁଖ୍ୟ ୟୁନୁସ ସିଜର କହିଛନ୍ତି ଯେ, ଆମର କିଛି ରାଜ୍ୟରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ତେବେ କହରାମାନମରସ ଏବଂ ହାତାୱେ ରାଜ୍ୟରେ ସର୍ଚ୍ଚ ଅପରେସନ ଜାରି ରହିବ । ଫେବ୍ରୁଆରୀ ୬ ତାରିଖରେ ହୋଇଥିବା ପ୍ରଥମ ଭୂମିକମ୍ପର ତୀବ୍ରତା ୭.୮ ଥିଲା । ପାଜାରିକ ଜିଲା କହରମାନମରସରେ ଏହାର କେନ୍ଦ୍ର ସ୍ଥଳ ରହିଥିଲା । ଉପରୋକ୍ତ ରାଜ୍ୟଗୁଡିକରେ ଥିବା ବିଲ୍ଡିଂରେ ସର୍ଚ୍ଚ ଅପରେସନ କରାଯିବ । ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୦,୬୮୯ ହୋଇଥିବା ବେଳେ ଦୁଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪୪,୩୭୭ ହୋଇଛି । ଭୂମିକମ୍ପ ହେବା ପରଠାରୁ ବିଭିନ୍ନ ଦେଶର ଉଦ୍ଧାରକାରୀ ଦଳ ଆସି ତୁର୍କୀ ଓ ସିରିଆରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।