୧କେଜି ୪୨ ଗ୍ରାମ ବ୍ରାଉନ ସୁଗର ଜବତ, ୩ ଗିରଫ
ଭୁବନେଶ୍ୱର : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆରୁ ସ୍ପେଶାଲ ଟାସ୍କଫୋର୍ସ (ଏସ୍ଟିଏଫ୍) ୧କେଜି ୪୨ ଗ୍ରାମ ବ୍ରାଉନ ସୁଗର ଜବତ କରିଛି । ଏହାର ଦାମ କୋଟିଏରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି । ଏହି ଘଟଣାରେ ୩ ଜଣ ଡ୍ରଗ ମାଫିଆଙ୍କୁ ଗିରଫ କରାଯାଇଛି ।
ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଂଚଳର ରଞ୍ଜନ କୁମାର ପାଟଶାଣୀ ଓରଫ ନାଲୁ, ଲକ୍ଷ୍ମୀଧର ସ୍ୱାଇଁ ଓରଫ କାଲୁ ଓ କଟକ ଜିଲ୍ଲା ବାଙ୍କୀ ଅଂଚଳର ଅମରେନ୍ଦ୍ର ମହାପାତ୍ର ଓରଫ ଦୀପୁ । ଗୁଇନ୍ଦା ସୂଚନା ପାଇ ଗତକାଲି ରାତିରେ ଏସ୍ଟିଏଫ୍ ପକ୍ଷରୁ ଦଧିମାଛଗାଡ଼ିଆରେ ଚଢ଼ାଉ କରାଯାଇ ଥିଲା । ଏସ୍ଟିଏଫ୍ ପକ୍ଷରୁ ଡ୍ରଗ୍ସ ବିରୋଧୀ ଅଭିଯାନ ଜାରି ରହିଛି । ୨୦୨୦ ମସିହାରୁ ଏଯାବତ ଏସ୍ଟିଏଫ୍ ୫୧ କେଜିରୁ ଅଧିକ ବ୍ରାଉନ ସୁଗର/ହେରଇନ୍, ୨୦୨ ଗ୍ରାମ କୋକେନ୍ ଓ ୯୩ କ୍ୱିଂଟାଲରୁ ଅଧିକ ଗଞ୍ଜେଇ ଓ ୭୫୦ ଗ୍ରାମ ଅଫିମ ଜବତ କରାଯାଇଛି । ଏହା ସହିତ ଏହି ସବୁ ଘଟଣା ଗୁଡ଼ିକରେ ୧୪୪ ଜଣ ଡ୍ରଗ୍ ମାଫିଆ ଓ ବେପାରୀ ଗିରଫ କରାଯାଇଛି ।