ଆଇପିଏଲ ବଳକା ମ୍ୟାଚ୍ : ଟସ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି
ଦୁବାଇ: ମହାମାରୀ କରୋନା କାରଣରୁ ଅଧାରୁ ବନ୍ଦ ହୋଇଥିବା ଆଇପିଏଲର ୧୪ତମ ସଂସ୍କରଣର ବଳକା ମ୍ୟାଚ୍ ଆଜି ଠାରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ସବୁଠାରୁ ସଫଳ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ । ରବିବାର ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଏହା ପୂର୍ବରୁ ପଡ଼ିଥିବା ଟସରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଯେ, ଆଇପିଏଲ ୨୦୨୧ର ସଂସ୍କରଣ ବନ୍ଦ ହେବା ବେଳକୁ ୨୯ଟି ମ୍ୟାଚ ଖେଳା ଯାଇଥିଲା । ପଏଂଟ ଟେବୁଲ କଥା ଦେଖିଲେ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ପଏଂଟ ସହ ୧ନଂରେ ଥିବା ବେଳେ ଧୋନିଙ୍କ ଚେନ୍ନାଇ ୧୦ ପଏଂଟ ସହ ଦ୍ୱିତୀୟ, ବିରାଟ କୋହଲିଙ୍କ ଆରସିବି ସମାନ ୧୦ ପଏଂଟ ସହ ତୃତୀୟ ଓ ରୋହିତଙ୍କ ମୁମ୍ବାଇ ୮ ପଏଂଟ ସହ ୪ର୍ଥ ସ୍ଥାନରେ ରହିଛି । ଆଇପିଏଲ ଇତିହାସର ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ହେଲେ ମୁମ୍ବାଇ ଓ ଚେନ୍ନାଇ । ଏହି ଦୁଇ ଦଳର ଫ୍ୟାନମାନଙ୍କ ସଂଖ୍ୟା ମଧ୍ୟ ସବୁଠାରୁ ଅଧିକ । ଦୁଇ ଦଳ ପରସ୍ପରକୁ ଆଇପିଏଲରେ ୩୨ ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ୧୯ ଥର ଜିତିଥିବା ବେଳେ ଚେନ୍ନାଇ ୧୩ଥର ବାଜିମାତ କରିଛି । ଫାଇନାଲରେ ଉଭୟ ଦଳ ୪ଥର ମୁହାମୁହିଁ ହୋଇଥିବେ ବେଳେ ମୁମ୍ବାଇ ୩ଥର ଚାମ୍ପିୟନ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଶେଷ ୬ଟି ମୁକାବିଲାରୁ ମୁମ୍ବାଇ ୫ଥର ବିଜୟୀ ହୋଇଛି । କରୋନା ପାଇଁ ଚଳିତ ବର୍ଷ ଅଧାରୁ ବନ୍ଦ ହୋଇଥିବା ଆଇପିଏଲର ଶେଷ ମ୍ୟାଚ୍ରେ ମୁମ୍ବାଇ ଚେନ୍ନାଇ ମୁହାଁମୁହିଁ ହୋଇଥିଲେ । ଏଥିରେ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଜିତିଥିଲା । ତେଣୁ ରବିବାର ୟୁଏଇରେ ସବୁଠାରୁ ବଡ଼ ଲଢ଼େଇ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା କରିଛନ୍ତି । ଚଳିତ ଆଇପିଏଲ ସିଜନର ବାକି ୩୧ ମ୍ୟାଚ୍ ଯଥାକ୍ରମେ ଦୁବାଇ, ଆବୁ ଧାବି ଓ ଶାରଜାରେ ଖେଳାଯିବ । ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚ୍ ୨୭ ଦିନ ଧରି ଚାଲିବ । ସେପ୍େଟମ୍ବର ୨୦ ତାରିଖରେ ଆବୁଧାବିରେ କୋଲକାତା ନାଇଟ୍ ରାଇଡର୍ସ ଓ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହେବେ । ସେହିପରି ସେପ୍ଟେମ୍ବର ୨୧ ତାରିଖରେ ପଞ୍ଜାବ କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯିବ । ସେପ୍ଟେମ୍ବର ୨୪ ତାରିଖରେ ଶାରଜାରେ ପ୍ରଥମ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଆରସିବି ଓ ଚେନ୍ନାଇ ପରସ୍ପରକୁ ଭେଟିବେ । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ । ୩୧ ମ୍ୟାଚ୍ ମଧ୍ୟରୁ ୭ଟି ଡବଲ୍ ହେଡର୍ ରହିବ । ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ । ଟୁର୍ଣ୍ଣାମେଂଟର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଦୁବାଇରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ । ଏହା ପରେ ଏଲିନିନେଟର୍ ଓ କ୍ୱାଲିଫାୟର୍୨ ମ୍ୟାଚ୍ ଶାରଜାରେ ଯଥାକ୍ରମେ ଅକ୍ଟୋବର ୧୧ ଓ ୧୩ ତାରିଖରେ ଅନୁଷ୍ଠିତ । ଦୁବାଇରେ ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ ।