କାଳବୈଶାଖୀ ନେଇ ଆଜି ୧୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ପ୍ରାୟ ୧୬ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରୁ ଜଣାପଡିଛି ।
ସୂଚନା ଯେ, ଆଜି (୧୯ ଅପ୍ରେଲ, ସୋମବାର) ଅପରାହ୍ନ ୧ଟା ୩୦ଘଣ୍ଟା ମଧ୍ୟରୁ ଆସନ୍ତାକାଲି (୨୦ ଅପ୍ରେଲ, ମଙ୍ଗଳବାର) ସକାଳ ୮ଟା୩୦ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଢ଼େଙ୍କାନାଳ, ମୟୂରଭଞ୍ଜ, ରାୟଗଡା, କୋରାପୁଟ, ଓ କେନ୍ଦୁଝର ପ୍ରଭୃତି ୧୬ଟି ଜିଲ୍ଲାର ଅନେକ ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ହେବ । ଏଥିସହିତ ପବନର ବେଗ ୩୦-୪୦ କିଲୋମିଟର ରହି କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ୧୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ଓ ବଜ୍ରପାତ ସମୟରେ ଘର ଭିତରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।