ଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବ

କଟକ : ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଘଟଣାରେ କମିଶନରେଟ୍ ପୋଲିସ ଜୋରଦାର ତଦନ୍ତ ଚଳାଇଥିବା ବେଳେ ହାଇଦରର ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ପୂର୍ବରୁ ଆତ୍ମସମର୍ପଣ କରିବା ନେଇ ୟାକୁବ କହିଥିଲା । ୟାକୁବ କଟକ ବଡ଼ ମେଡିକାଲରେ ହାଇଦରକୁ ବାରମ୍ବାର ଭେଟି ବିରିୟାନି ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ ହାଇଦର ଫେରାର୍ ହେବା ନେଇ ସେ କିଛି ଜାଣି ନଥିବା କହିଛି । ସେ କହିଥିଲା ଯେ, କଟକ ଏସସିବିରେ ହାଇଦରକୁ ଭେଟିଥିଲା। କାମଧନ୍ଦା ପାଇଁ ଦୁଇ ତିନି ଥର ଭେଟିଥିଲା। ବାଲିଘାଟ ଓ ଠିକା କାମ ପାଇଁ ହାଇଦରକୁ ୟାକୁବ କହିଥିଲା । ସବୁଠୁ ବଡ କଥା ହେଲା କି ୟାକୁବ ହାଇଦର ପାଇଁ ବିରିଆନି ନେଇ ସର୍ଜରୀ ଓ୍ଵାର୍ଡକୁ ମଧ୍ୟ ଯାଇଥିଲେ। ଏବେ ହାଇଦର ଫେରାର ହୋଇଯାଇଛି । ତେଣୁ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଛି । ପୋଲିସକୁ ତଦନ୍ତରେ ସହାୟତା କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି ବୋଲି କହିଥିଲା । ହାଇଦର କେଉଁଠି ଅଛନ୍ତି ମୁଁ ଜାଣିନାହିଁ। ମୁଁ ଚାହୁଁନି ମୋ ପରିବାର ମୋ ପାଇଁ ଅସୁବିଧାରେ ନପଡୁ। ତେଣୁ ମୁଁ ପୋଲିସଠାରେ ଆତ୍ମ ସମର୍ପଣ କରିବାକୁ ଚାହୁଁଛି ବୋଲି ୟାକୁବ କହିଥିଲା ।
ସୂଚନା ଯେ, ଗ୍ୟାଙ୍ଗଷ୍ଟାର ହାଇଦର ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ଜେଲରେ ବନ୍ଦୀ ଭାବେ ଥିଲା । ଅସୁସ୍ଥ କାରଣରୁ ତାଙ୍କୁ ପ୍ରଥମେ ବୁର୍ଲା ମେଡିକାଲକୁ ଅଣାଯାଇଥିଲା । ହେଲେ ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର କଟକ ଏସସିବିରେ ସେ ଚିକିତ୍ସିତ ହେଉଥିବା ବେଳେ ୧୦ ତାରିଖ ଦିନ ସେଠାରୁ ଫେରାର୍ ହୋଇଯାଇଥିଲା । ହାଇଦରକୁ ଧରିବାକୁ ସାରା ରାଜ୍ୟର ପୋଲିସ ତନାଘନା କରୁଥିବା ବେଳେ ୟାକୁବର ଆତ୍ମସମର୍ପଣ ପୋଲିସକୁ କେତେ ସହାୟତା ହେବ ତାହା ଜେରା ପରେ ସ୍ପଷ୍ଟ ହେବ।