ଗୋଟିଏ ଛକା ବଳରେ ନୁହେଁ ବରଂ ପୂରା ଦଳ ଏବଂ ସପୋର୍ଟ ଷ୍ଟାଫଙ୍କ ପରିଶ୍ରମରେ ଭାରତ ଚମ୍ପିଆନ ହୋଇଥିଲା : ଗମ୍ଭୀର

ନୂଆଦିଲ୍ଲୀ : ୧୦ ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ ଭାରତୀୟ କ୍ରିକେଟ୍ ଦଳ ୨୦୧୧ ବିଶ୍ଵ କପ୍ ଜିତି ଦିନିକିଆ କ୍ରିକେଟ୍ର ବାଦଶାହା ହୋଇଥିଲା। ହେଲେ ୧୯୮୩ ପରେ ଏହି ସ୍ଵପ୍ନକୁ ପୂରଣ କରିବାରେ ଦଳକୁ ୨୮ ବର୍ଷ ଲାଗି ଯାଇଥିଲା। ଯେବେ ଏହା ପୂରା ହେଲା ସାରା ଦେଶ ଖୁସିରେ ଝୁମି ଉଠିଥିଲା। ଆଜି ପୁଣି ଥରେ କୋଟି କୋଟି କ୍ରିକେଟ୍ ପ୍ରେମୀ ସେହି ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଉଛନ୍ତି। ୨୦୧୧ ବିଶ୍ଵ କପ୍ରେ ପ୍ରତିଟି ଖେଳାଳି ନିଜ ନିଜ ସ୍ତରରେ ଦଳକୁ ବିଶ୍ଵ ଚମ୍ପିଆନ କରାଇବାରେ ଯୋଗଦାନ ଦେଇଥିଲେ। ହେଲେ ଫାଇନାଲ ମୁକାବିଲାରେ ଜଣେ ଖେଳାଳି ଖାସ୍ ଥିଲେ। କାରଣ ଉକ୍ତ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଫାଇନାଲ ମୁକାବିଲାରେ ସଚିନ ତେନ୍ଦୁଲକର ଓ ସେହ୍ଵାଗଙ୍କ ଶୀଘ୍ର ଆଉଟ୍ ହେବା ପରେ ମଧ୍ୟ ସାହାସ ହାରି ନଥିଲେ। ୯୭ ରନର ଇନିଂସ ଖେଳି ଦଳର ବିଜୟରେ ମୂଳଦୁଆ ପକାଇଥିଲେ। ଏହି ଖେଳାଳିଙ୍କ ନାମ ହେଉଛି ଗୌତମ ଗମ୍ଭୀର। ଗମ୍ଭୀର ମଧ୍ୟ ଆଜି ପର୍ଯ୍ୟନ୍ତ ବିଶ୍ଵ କପ୍ ବିଜୟକୁ ଭୁଲି ନାହାନ୍ତି।
ଏହି ବିଜୟକୁ ୧୦ ବର୍ଷ ପୂର୍ତ୍ତି ଅବସରରେ ଗମ୍ଭୀର ଦଳର ସଫଳତା, ଅଧିନାୟକ ଓ କୋଚ୍ର ଯୋଗଦାନ ଓ ଭାରତୀୟ କ୍ରିକେଟ୍ର ଭବିଷ୍ୟତ ଉପରେ ଖୋଲାଖୋଲି ଆଲୋଚନା କରିଥିଲେ। ସେହିପରି ଗତ ବର୍ଷ ଏକ କ୍ରିକେଟ୍ ଓ୍ଵେବସାଇଟ୍ ବିଶ୍ଵ କପ୍ର ୯ ବର୍ଷ ପୂର୍ତ୍ତି ଅବସରରେ ମହେନ୍ଦ୍ର ସିଂହ ଧୋନୀ ଛକା ମାରି ଦଳକୁ ଜିତାଇବାର ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ସହିତ କ୍ୟାପସନ ମଧ୍ୟ ଦିଆଯାଇଥିଲା। ସେହି ସଟ୍ କୋଟି କୋଟି ପ୍ରଶଂସକଙ୍କୁ ଖୁସିରେ ଝୁମିବାକୁ ବିବଶ କରିଥିଲା। ଗମ୍ଭୀର ଏହି କଥାକୁ ହଜମ କରି ପାରିନଥିଲେ ଏବଂ ସେହି ସମୟରେ ସେ କହିଥିଲେ ଯେ, କେବଳ ଗୋଟିଏ ଛକା ବଳରେ ନୁହେଁ ବରଂ ପୂରା ଦଳ ଏବଂ ସପୋର୍ଟ ଷ୍ଟାଫଙ୍କ ପରିଶ୍ରମ ଦମ୍ରେ ଭାରତ ଚମ୍ପିଆନ ହୋଇଥିଲା।
ଗମ୍ଭୀର ସାକ୍ଷାତକାରରେ କହିଛନ୍ତି ଯେ, କଣ ଆପଣଙ୍କୁ ଲାଗୁଛି କୌଣସି ଜଣେ ଖେଳାଳିଙ୍କ ଦମରେ ଭାରତ ବିଶ୍ଵ କପ୍ ଜିତିଛି ? ଯଦି ଏମିତି ହୋଇଥାନ୍ତା ତେବେ ଭାରତୀୟ ଦଳ ଏ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ବିଶ୍ଵ କପ୍ ଜିତି ଯାଇଥାନ୍ତା। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଦେଶରେ ଆମେ କିଛି ବ୍ୟକ୍ତିଙ୍କୁ ହିଁ ପୂଜା କରୁ। ମୁଁ କେବେ ମଧ୍ୟ ଏହା ଉପରେ ବିଶ୍ଵାସ କରେ ନାହିଁ। କୌଣସି ଦଳଗତ କ୍ରୀଡାରେ ଜଣେ ବ୍ୟକ୍ତିଙ୍କର ସ୍ଥାନ ନଥାଏ। ଏହା କେବଳ ଏକ ଯୋଗଦାନର କଥା। କଣ ଆପଣ ଫାଇନାଲରେ ଜାହିର ଖାନଙ୍କ ଯୋଗଦାନକୁ ଭୁଲି ପାରିବେ ? ଯିଏ ନିଜର ପ୍ରଥମ ସ୍ପେଲ୍ରେ ଲଗାତାର ତିନି ମେଡେନ୍ ଓଭର ବୋଲିଂ କରିଥିଲେ। କଣ ଆପଣ ଏହା ଭୁଲି ପାରିବେ, ଯୁବରାଜ କ୍ଵାର୍ଟର ଫାଇନାଲ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ କଣ କରିଥିଲେ ? କେବଳ ଏତିକି ନୁହେଁ, ଦକ୍ଷିଣ ଆଫ୍ରିକା ବିପକ୍ଷ ସଚିନ ତେନ୍ଦୁଲକରଙ୍କ ଶତକକୁ କିଏ କେମିତି ଭୁଲ ପାରିବ ? ଆମେ ଗୋଟିଏ ଛକାକୁ କଣ ପାଇଁ ବାରମ୍ବାର ମନେ ପକାଉଛୁ ? ଯଦି ଗୋଟିଏ ଛକା ବିଶ୍ଵ କପ୍ ଜିତାଇ ପାରୁଛି, ତେବେ ଯୁବରାଜ ସିଂହ ଅତି କମରେ ଭାରତକୁ ୬ଟି ବିଶ୍ଵ କପ୍ ଜିତାଇ ପାରିଥାନ୍ତେ, କାରଣ ସେ ଇଂଲଣ୍ଡ ବିପକ୍ଷ ୨୦୦୭ ଟି-୨୦ରେ ଗୋଟିଏ ଓଭରରେ ୬ ଛକା ମାରିଥିଲେ। କେହି ଯୁବରାଜ ସିଂହଙ୍କ ବିଷୟରେ ଆଲୋଚନା କରୁ ନାହାନ୍ତି। ସେ ୨୦୧୧ ବିଶ୍ଵ କପର ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ରହିଥିଲେ। ମାତ୍ର ଆମେ କେବଳ ଗୋଟିଏ ଛକା ବିଷୟରେ ଆଲୋଚନା କରୁଛୁ।