ରୋହିତ ବାହିନୀର ମିଶନ ଫାଇନାଲ : ଆସନ୍ତାକାଲି ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ନୂଆଦିଲ୍ଲୀ : ୨୦୨୩ ବିଶ୍ଵକପ୍ ନିଜର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆସନ୍ତାକାଲି ଖେଳାଯିବ ପ୍ରଥମ ସେମିଫାଇନାଲ୍ । ମୁମ୍ବାଇର ୱାଙ୍ଖଡେରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ସେମିଫାଇନାଲ୍ ଜିତି ଫାଇନାଲ୍ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ତେବେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ୨୦୧୯ ସେମି ଫାଇନାଲ୍ର ପରାଜୟ ସ୍ମୃତି ସତେଜ ଅଛି। ତେବେ ୨୦୨୩ ବିଶ୍ଵକପ୍ର ସେମି ଫାଇନାଲ୍ ନିୟମ ଭାରତୀୟ ପ୍ରଶଂସକଙ୍କୁ ନିଶ୍ଚିତ ଖୁସି କରିବ। ଯଦି ବର୍ଷା କାରଣରୁ ସେମି ଫାଇନାଲ୍ ମୁକାବିଲା ରଦ୍ଦ ହୁଏ ତେବେ ଭାରତ ଫାଇନାଲ୍ରେ ପ୍ରବେଶ କରିବ। ଏହା ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଭାରତ ବାଜି ମାରି ନେଇଥିଲା। ତେବେ ନ୍ୟୁଜିଲାଣ୍ଡ ଏକମାତ୍ର ଦଳ ଯିଏ ଲିଗ୍ ପର୍ଯ୍ୟାୟରେ ଭାରତକୁ ଟକ୍କର ଦେଇଥିଲା। ତେଣୁ ସେମି ଫାଇନାଲରେ ଉଭୟ ଦଳ ମଧ୍ୟରେ ମୁକାବିଲା ବେଶ ରୋମାଞ୍ଚକର ହୋଇପାରେ।
ତାପୂର୍ବରୁ ଝାଳବୁହା ଅଭ୍ୟାସ କରିଛନ୍ତି ଉଭୟ ଟିମ୍। ଲିଗ୍ ପର୍ଯ୍ୟାୟରେ କିୱି ବାହିନୀକୁ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି । ୧୯୮୭ରୁ ଏ ଯାଏ ୱାଙ୍ଖଡେରେ ୫ଟି ମ୍ୟାଚ ଖେଳିଛି ଭାରତ । ଏଥିରୁ ୨ଟି ମ୍ୟାଚରେ ପରାସ୍ତ ହୋଇଛି ।ସେହିପରି ଟିମ ନ୍ୟୁଜିଲାଣ୍ଡ ୱାଙ୍ଖଡେରେ ଖେଳିଥିବା ଦୁଇ ମ୍ୟାଚ ମଧ୍ୟରୁ ଗୋଟିଏରେ ବିଜୟ ଓ ଗୋଟିଏରେ ପରାସ୍ତ ହୋଇଛି । ଉଭୟ ଦଳ ବିଶ୍ବକପରେ ୧୦ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୪ଟି ଓ କିୱି ଟିମ ୫ଟି ମ୍ୟାଚ ଜିତିଛି । ଗୋଟିଏ ମ୍ୟାଚ ବାତିଲ ହୋଇଛି । ୨୦୧୯ ସେମିରୁ ଭାରତକୁ ବିଦା କରିଥିଲା କିୱି ଟିମ । ୧୮ ରନରେ ବାଜି ମାରିଥିଲା ଟିମ ନ୍ୟୁଜିଲାଣ୍ଡ। ଏବେ ୱାଙ୍ଖଡେ ଷ୍ଟାଡିୟମରେ ୱିଲିୟମସନ ବାହିନୀକୁ ପରାସ୍ତ କରି ୨୦୧୯ ବିଶ୍ବକପ୍ ବଦଲା ନେବାକୁ ସ୍ବତନ୍ତ୍ର ରଣନୀତି କରିଛି ରୋହିତ ଆଣ୍ଡ କୋ । ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ବଳରେ ବୃହତ ବିଜୟ ହାସଲ କରୁଛି ରୋହିତ ବ୍ରିଗେଡ୍ । ଏପଟେ ଟିମ ନ୍ୟୁଜିଲାଣ୍ଡ ବି ଭଲ ଫର୍ମରେ ଅଛି । ତେଣୁ ଆସନ୍ତାକାଲି ବଡ ଲଢେଇ ଅପେକ୍ଷାରେ ଅଛନ୍ତି କ୍ରିକେଟପ୍ରେମୀ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ହେବ ଏସିଡ ଟେଷ୍ଟ ।
ଉଲ୍ଲେଖନୀୟ, ଆଇସିସି ସେମି ଫାଇନାଲ୍ ଓ ଫାଇନାଲ୍ ମୁକାବିଲା ପାଇଁ ରିଜର୍ଭ ଡେର ବ୍ୟବସ୍ଥା ରଖିଛି। ଅର୍ଥାତ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ ଦିନ ନଭେମ୍ବର ୧୫ ତାରିଖରେ ବର୍ଷା ହୁଏ ତେବେ ନଭେମ୍ବର ୧୬ ତାରିଖ ମ୍ୟାଚ୍ ଖେଳାଯିବ। ସେହିପରି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ସେମି ଫାଇନାଲ୍ ପାଇଁ ରିଜର୍ଭ ଡେର ବ୍ୟବସ୍ଥା ମଧ୍ୟ ରହିଛି।
ଯଦି ରିଜର୍ଭ ଡେରେ ବି ଖେଳ ନ ହୋଇ ପାରିଲା ତେବେ ଲିଗ୍ ପର୍ଯ୍ୟାୟର ପ୍ରଦର୍ଶନ ଆଧାରରେ ଦଳକୁ ଫାଇନାଲ୍ ଟିକେଟ୍ ମିଳିବ। ଏମିତି ସ୍ଥିତିରେ ଭାରତ ସହଜରେ ଫାଇନାଲରେ ପ୍ରବେଶ କରିବ। କାରଣ ଭାରତ ସମସ୍ତ ଲିଗ୍ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଆଉ ଦଳ ନ୍ୟୁଜିଲାଣ୍ଡକୁ ଲିଗ୍ ପର୍ଯ୍ୟାୟରେ ବି ହରାଇଛି। ଏହି ନିୟମ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ସେମି ଫାଇନାଲ୍ ପାଇଁ ମଧ୍ୟ ସମାନ। ବର୍ଷା ଯୋଗୁଁ ମ୍ୟାଚ୍ ରଦ୍ଦ ହେଲେ ଦକ୍ଷିଣ ଆଫ୍ରିକା ଫାଇନାଲ୍କୁ ପ୍ରବେଶ କରିବ। ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।