ବିଶ୍ବକପ୍-୨୦୨୩ : ଆଜି ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ, ପ୍ରତିଶୋଧ ଲକ୍ଷ୍ୟରେ ରୋହିତ ବାହିନୀ

ନୂଆଦିଲ୍ଲୀ : ବିଶ୍ବକପ୍-୨୦୨୩ରେ ଆଜି ସେମି ସଂଘର୍ଷ। ଆଜି ବିଶ୍ବକପର ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ମୁମ୍ବାଇର ୱାଙ୍ଖଡେରେ ୱିଲିୟମସନ ବାହିନୀକୁ ଚିତ୍ କରିବାକୁ ରୋହିତ ଆଣ୍ଡ କୋର ସ୍ବତନ୍ତ୍ର ଷ୍ଟ୍ରାଟେଜି । ନକ ଆଉଟରେ ଚକମା ଦେବାରେ ମାହିର୍ ବ୍ଲାକ୍ କ୍ୟାପ୍ । ତେଣୁ ୨୦୧୯ର ବଦଲା ନେବାକୁ ଅଣ୍ଟା ଭିଡିଛି ଟିମ୍ ଇଣ୍ଡିଆ । ସେହିଭଳି ସେମିର ଅବ୍ୟବହିତ ପୂର୍ବରୁ ଭାରତକୁ ବଡ଼ ସନ୍ଦେଶ ଦେଇ ଦଳର କିୱି ଅଧିନାୟକ କେନ୍ ୱିଲିୟମସନ । କହିଛନ୍ତି ଆମେ ବି କାହାଠୁ କମ୍ ନୁହେଁ । ସମୟ ଦେଖି ଜବାବ୍ ଦେବୁ ।
ଭାରତ ନା ନ୍ୟୁଜିଲାଣ୍ଡ, କାହାକୁ ମିଳିବ ଫାଇନାଲ ଟିକେଟ । ଦିନିକିଆ ବିଶ୍ବକପ୍ ଇତିହାସରେ ରେକର୍ଡ କ୍ରମାଗତ ୯ ବିଜୟର ଆତ୍ମବିଶ୍ବାସ ସହିତ ଭାରତ ଆଜି ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ସେମି ଫାଇନାଲ ଖେଳିବାକୁ ଯାଉଛି। ଭାରତ ଆଗରେ କିନ୍ତୁ ବୁଧବାର ଏମିତି ଏକ ଦେଶ ପ୍ରତିଦ୍ବନ୍ଦ୍ବୀ ରହିଛି, ଯିଏ ସବୁବେଳେ ଜଟିଳ ଆହ୍ବାନ ନେଇ ଆସିଥାଏ। ବ୍ଲାକ୍ କ୍ୟାପ୍ସ କହନ୍ତୁ କି କିୱି ବାର୍ଡସ, କେନ୍ ୱିଲିୟମ୍ସନ୍ଙ୍କ ନ୍ୟୁଜିଲାଣ୍ଡ୍ ନିଶ୍ଚିତ ଭାବେ ଭାରତକୁ ଚାପରେ ପକାଇଛି ଏବଂ ଧମକାଇଛି ଗତଥର ଭଳି ଜୟଯାତ୍ରା ରୋକିଦେବାକୁ। ୨୦୧୯ ମାଞ୍ଚେଷ୍ଟର ସେମିଫାଇନାଲ୍ ପରାଜୟର ପ୍ରତିଶୋଧ ନେବାକୁ କିନ୍ତୁ ରୋହିତ ଶର୍ମାଙ୍କ ଦଳ ଦୃଢ଼ ସଙ୍କଳ୍ପବଦ୍ଧ।
ଲିଗ୍ ପର୍ଯ୍ୟାୟରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ୍କୁ ୪ ୱିକେଟ୍ରେ ପରାସ୍ତ କରିଥିବାରୁ ଏଥର ଆଉ ସୁଯୋଗ ଛାଡ଼ିବାର ନାହିଁ ବୋଲି ଖେଳାଳିମାନେ ମଧ୍ୟ ବିଶ୍ବାସ ରଖିଛନ୍ତି। ନ୍ୟୁଜିଲାଣ୍ଡ୍ ବିପକ୍ଷ ଆଇସିସି ଇଭେଣ୍ଟ୍ ନକ୍ ଆଉଟ୍ ମୁକାବିଲା ଧାରାକୁ ବଦଳାଇ ଏଥର ଶିକାର କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ। ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ୨୦୧୯ ସେମିଫାଇନାଲ୍ ଏବଂ ୨୦୨୧ ଟେଷ୍ଟ୍ ଫାଇନାଲ୍ର ପ୍ରତିଶୋଧ ନେବାକୁ ମିଳିଛି ସୁଯୋଗ।
ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ ଯେଉଁଠି ୨୦୧୧ ବିଶ୍ବକପ୍ ଫାଇନାଲ୍ ଜିତିଥିଲା ଭାରତ, ଏବେ ୧୪୦ କୋଟି ଭାରତୀୟଙ୍କୁ ଏହି ସ୍ବପ୍ନର ଟ୍ରଫି ପାଖାପାଖି ନେବାକୁ ସୁଯୋଗ ଆଣିଛି। ନ୍ୟୁଜିଲାଣ୍ଡ୍ର ସବୁ ପ୍ରକାର ଆହ୍ବାନ ଓ ଯୋଜନାକୁ ପଣ୍ଡ କରିବାକୁ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡ଼ ମଧ୍ୟ ପ୍ରସ୍ତୁତ ଅଛନ୍ତି। ହାରିଯିବାର ଡରକୁ ମୁଣ୍ଡରେ ନପୂରାଇ ସ୍ବାଭାବିକ ଖେଳିଲେ ଦଳ ନିଶ୍ଚିତ ସଫଳ ହେବ ବୋଲି ବିଶ୍ବାସ ଦେଇଛନ୍ତି ଖେଳାଳିଙ୍କୁ। କୋଟି କୋଟି ଭାରତୀୟ ପ୍ରଶଂସକ ଏବେ ପ୍ରାର୍ଥନା କରିଛନ୍ତି ପ୍ରଥମେ ରୋହିତ ଶର୍ମା ଟସ୍ ଜିତିଯାଆନ୍ତୁ। କାରଣ ଚଳିତ ସଂସ୍କରଣ ବିଶ୍ବକପ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଅଧିକ ଜିତିଛି, ପଶ୍ଚାତଧାବନ କରୁଥିବା ଦଳ ଅଡୁଆରେ ପଡୁଛି।
ଦିନିକିଆ ବିଶ୍ବକପ୍ ସେମିଫାଇନାଲ୍ରେ କିନ୍ତୁ ଭାରତର ବିଜୟ ପ୍ରତିଶତ (୪୨.୮୬ %) ନ୍ୟୁଜିଲାଣ୍ଡ୍ (୨୫ %) ଠାରୁ ଆଗୁଆ ରହିଛି। ଭାରତ ୩ ଜିତି ୪ ହାରିଛି, କିନ୍ତୁ ନ୍ୟୁଜିଲାଣ୍ଡ୍ ୨ ଜିତି ୬ ହାରିଛି। ଦିନିକିଆ ବିଶ୍ବକପ୍ ନକ୍ ଆଉଟ୍ ମୁକାବିଲାରେ ବିରାଟ କୋହଲିଙ୍କ ହାରାହାରି (୬ ମ୍ୟାଚ୍ରେ ୧୨.୧୬) ଅତ୍ୟନ୍ତ ନିରାଶାଜନକ ରହିଛି। କେନ୍ ୱିଲିୟମସନ୍ ମଧ୍ୟ ୭ ପାଳିରେ ସେଭଳି ପ୍ରଭାବୀ ରହିନାହାନ୍ତି। ୩୪.୬୭ ହାରରେ ଖେଳିଛନ୍ତି। ୪ ବର୍ଷ ତଳେ ଏକମାତ୍ର ଅର୍ଦ୍ଧଶତକ ଭାରତ ବିପକ୍ଷରେ ମାରିଥିଲେ। ଶେଷ ଥର ପାଇଁ ମୁମ୍ବାଇରେ ଏକ ବିଶ୍ବକପ୍ ସେମିଫାଇନାଲ୍ ୧୯୮୭ରେ ଖେଳାଯାଇଥିଲା। ସେଥର ରବି ଶାସ୍ତ୍ରୀ ଓ ମନିନ୍ଦର ସିଂହଙ୍କୁ ସୁଇପ୍ ଖେଳି ଖେଳି ଗ୍ରାହାମ ଗୁଚ୍ ଇଂଲଣ୍ଡକୁ ଫାଇନାଲ୍ରେ ପହଞ୍ଚାଇ ଦେଇଥିଲେ। ଚଳିତ ବିଶ୍ବକପ୍ରେ ସବୁ ଦଳ ମଧ୍ୟରେ ଭାରତ ସର୍ବାଧିକ ୱିକେଟ୍ (୮୫), ଶ୍ରେଷ୍ଠ ଇକୋନୋମି (୪.୫), ଶ୍ରେଷ୍ଠ ହାରାହାରି (୧୯.୬) ଓ ଶ୍ରେଷ୍ଠ ଷ୍ଟ୍ରାଇକ୍ ରେଟ୍ (୨୬.୨) ରଖିଥିବାରୁ ମଧ୍ୟ ଏହା ଶୁଭସଙ୍କେତ ଦେଉଛି।
ଦିନିକିଆରେ ଉଭୟ ଦଳ ୧୧୭ ଥର ସାମ୍ନାସାମ୍ନି କରିଛନ୍ତି । ୫୯ ଥର ଭାରତ ଜିତିଥିବାବେଳେ ୫୦ ଥର ଜିତିଚି କିୱି ଟିମ୍ । ବିଶ୍ବକପରେ ୧୦ ଥର ମୁହାଁମୁହିଁ ହୋଇଛନ୍ତି ଉଭୟ ଟିମ। ଭାରତ ୪ଟି ଓ କିୱି ଟିମ ୫ଟି ମ୍ୟାଚ ଜିତିଛି । ଗୋଟିଏ ମ୍ୟାଚ ବାତିଲ ହୋଇଛି । କ୍ରେଜ୍ କରିବାରେ ମାହିର୍ ଭାରତ । ୨୦୧୯ ବିଶ୍ବକପ୍ ସେମିରୁ ଭାରତକୁ ବିଦା କରିଥିଲା କିୱି ଟିମ । ୧୮ ରନରେ ବାଜି ମାରିଥିଲା ଟିମ ନ୍ୟୁଜିଲାଣ୍ଡ। ଏବେ ୱାଙ୍ଖଡେ ଷ୍ଟାଡିୟମରେ ୱିଲିୟମସନ ବାହିନୀକୁ ପରାସ୍ତ କରି ୨୦୧୯ ବିଶ୍ବକପ୍ ବଦଲା ନେବାକୁ ସ୍ବତନ୍ତ୍ର ରଣନୀତି କରିଛି ରୋହିତ ଆଣ୍ଡ କୋ । ଆସନ୍ତା ରବିବାର ଫାଇନାଲ୍ ଫାଇଟ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଟାଇଟଲ ଲଢେଇ । ଏହାପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଲଢେଇ ଭାରତ ପାଇଁ ଅଗ୍ନୀ ପରୀକ୍ଷା ।