ବିଶ୍ବକପ-୨୦୨୩ : ଫାଇନାଲରେ ଟିମ ଇଣ୍ଡିଆ, ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ ଛଡ଼ାଇ ଆଣିଲା ରୋହିତ ସେନା

ମୁମ୍ବାଇ : ଆଇସିସି ବିଶ୍ବକପ ଫାଇନାଲରେ ଟିମ ଇଣ୍ଡିଆ । ଅର୍ଥାତ୍ ବିଶ୍ବ ଚାମ୍ପିଅନ ହେବାଠାରୁ ଆଉ ମାତ୍ର ଗୋଟିଏ ବିଜୟ ବାକି । ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ବାଜି ମାରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ବିଶ୍ୱକପ ଫାଇନାଲକୁ ଯୋଗ୍ୟତା ହାସଲ କରିଛି ଭାରତୀୟ କ୍ରିକେଟ ଟିମ୍ । ପ୍ରଥମ ସେମି ଫାଇନାଲ ମହାଲଢେଇରେ ଦମଦାର ବିଜୟ ହାସଲ କରିଛି ରୋହିତ ସେନା । ଲମ୍ବା ସଂଘର୍ଷ ପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଭାରତ ଫାଇନାଲ ପାଇଁ ଟିକେଟ ହାସଲ କରିଛି । ବିରାଟ ଏବଂ ଶ୍ରେୟସଙ୍କ ଶତକ ପରେ ମହମ୍ମଦ ଶାମୀଙ୍କ ଘାତକ ବୋଲିଂରେ ଭାରତ ବିଶ୍ୱକପ ଫାଇନାଲରେ ପହଞ୍ଚିଛି । ନ୍ୟୁଜିଲାଣ୍ଡ ହାତରୁ ଏହି ବିଜୟକୁ ଛଡ଼ାଇ ଆଣିବାରେ ସଫଳ ହୋଇଛି ରୋହିତ ସେନା ।
୨୦୧୧ ପରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । ଏହାପୂର୍ବରୁ ୨୦୧୫ ଏବଂ ୨୦୧୯ ଦିନିକିଆ ବିଶ୍ୱକପରେ ଭାରତକୁ ସେମି ଫାଇନାଲରୁ ହିଁ ଫେରିଥିଲା । ତେବେ ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ସେମି ଫାଇନାଲ ଅତିକ୍ରମ କରି ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଏହି ବିଜୟର ସୂତ୍ରଧର ସାଜିଛନ୍ତି କିଙ୍ଗ ବିରାଟ କୋହଲି ଏବଂ ଷ୍ଟାର ବୋଲର ମହମ୍ମଦ ଶାମୀ । ବିରାଟଙ୍କ ଶତକ ସହିତ ଶାମୀଙ୍କ ଘାତକ ବୋଲିଂ ଭାରତକୁ ବିଶ୍ବକପ ଫାଇନାଲର ଟିକେଟ ପ୍ରଦାନ କରିଛି । ପ୍ରଥମ ଦଳ ଭାବରେ ବିଶ୍ବକପ-୨୦୨୩ର ଫାଇନାଲରେ ଏଣ୍ଟ୍ରି କରିଛି ଭାରତ ।

ବୁଧବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି । ଭାରତ ଦ୍ବାରା ରଖାଯାଇଥିବା ୩୯୮ ରନ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୩୨୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଡାରିଲ ମିଚେଲ ୧୩୪ରନ, କେନ ଓ୍ବିଲିୟମସନ ୬୯ ରନ ଓ ଗ୍ଲେନ ଫିଲିପ୍ସ ୪୧ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସମି ଘାତକ ବୋଲିଂ କରି ୭ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଏକ ବଡ଼ ସ୍କୋର ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ । ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ ବି ଅଳ୍ପକେ ଅର୍ଦ୍ଧଶତକରୁ (୪୭ ରନ) ବଞ୍ଚିତ ହୋଇଥିଲେ । ସେହିପରି ଶୁଭମନ ଗିଲ୍ ୭୯ ରନ କରି ଏକ ଶତକ ଆଡକୁ ଗତି କରୁଥିବାବେଳେ ସେ ରିଟାୟାର୍ଡ ହଟ୍ ହୋଇ ପାଭିଲିୟନ ଫେରିଥିଲେ । ତେବେ ଶେଷ ଓଭରରେ ସେ ପୁଣି ଥରେ ଫେରିଥିଲେ । କିନ୍ତୁ ଆଜି ମ୍ଯାଚର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ୫୦ ତମ ଶତକ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଶତକ । ବିରାଟ ୧୧୭ ରନ ଓ ଆୟର ୧୦୫ କରି ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ବିକେଟ ହରାଇ ୩୯୭ ରନ କରିଥିଲା ।