ମହିଳା ଟି-୨୦ ଏସିଆ କପ୍ : ଭାରତର ବିଜୟ ଧାରାରେ ବ୍ରେକ୍, ୧୩ ରନ୍ରେ ହରାଇଲା ପାକିସ୍ତାନ
ସିଲହେଟର: ବାଂଲାଦେଶର ସିଲହେଟରେ ଖେଳାଯାଉଥିବା ମହିଳା ଟି-୨୦ ଏସିଆ କପ୍ରେ ଭାରତର ପ୍ରଥମ ପରାଜୟ। ଗ୍ରୁପ୍ ଷ୍ଟେଜର ୧୩ ତମ ମ୍ୟାଚରେ ଶୁକ୍ରବାର ଭାରତ ୧୩ ରନରେ ପାକିସ୍ତାନ ଠାରୁ ହାରି ଯାଇଛି । ପାକିସ୍ତାନର ଏହି ବିଜୟ ସହ ଭାରତର ବିଜୟ ଧାରାରେ ବ୍ରେକ୍ ଲାଗିଛି। ଏହା ପୂର୍ବରୁ ଭାରତ କୌଣସି ଦଳ ଠାରୁ ପରାଜିତ ହୋଇନଥିଲା। ୬ ବର୍ଷ ପରେ ଟି-୨୦ ଅନ୍ତର୍ଜତୀୟ ମ୍ୟାଚ୍ରେ ଭାରତକୁ ହରାଇଛି ପାକିସ୍ତାନ। ଏହା ପୂର୍ବରୁ ୨୦୧୬ ମାର୍ଚ୍ଚ ୧୯ ତାରିଖ ଟି-୨୦ ବିଶ୍ୱକପ୍ ମ୍ୟାଚ୍ରେ ପାକିସ୍ତାନ ଭାରତକୁ ହରାଇଥିଲା। ପରାଜୟ ସତ୍ତ୍ୱେ ବି ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଠାରୁ ଆଗରେ ରହିଛି ଭାରତ। ୧୩ ମ୍ୟାଚ୍ରେ ଟିମ୍ ୧୦ଟିରେ ବିଜୟୀ ହୋଇଛି। ଏହି ମ୍ୟାଚ୍ରେ ହାରିବା ସତ୍ତ୍ୱେ ଭାରତୀୟ ମହିଳା ଦଳ ୬ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି। ପାକିସ୍ତାନ ଦଳ ପାଖରେ ମଧ୍ୟ ୬ ପଏଣ୍ଟ ଅଛି, କିନ୍ତୁ ଦଳ ଦ୍ୱିତୀୟ ସ୍ଥାନରେ ରହିଛି।
ପାକିସ୍ତାନ ଅଧିନାୟିକା ବିସ୍ମା ମାରୋଫ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୭ ରନ୍ କରିଥିଲା। ପାକିସ୍ତାନ ପକ୍ଷରୁ ନିଦା ଦାର ୩୭ ବଲ୍ରେ ୫୬ ରନ୍ କରିଥିଲେ। ସ୍ପିନରଙ୍କ ବିରୋଧରେ ସେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ନିଦା ଦାରଙ୍କ ବ୍ୟତୀତ ପାକିସ୍ତାନ ଅଧିନାୟକ ବିସମାହ ମାରୁଫ ୩୨ ରନ୍ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଟିମ୍ ପାଇଁ ୫୮ ବଲ୍ରେ ୭୬ ରନ୍ ଯୋଡ଼ିଥିଲେ। ଆଜିର ମ୍ୟାଚ୍ରେ ଭାରତୀୟ ବୋଲର ଦୀପ୍ତି ଶର୍ମାଙ୍କ ବ୍ୟାତୀତ ଅନ୍ୟ କୌଣସି ବୋଲ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ଦୀପ୍ତି ୪ ଓଭର ୨୭ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ପାକିସ୍ତାନୀ ଓପନର ମନୀବା ଅଲ୍ଲୀ(୧୭), ଓମେମା ସୋହିଲଙ୍କ ୱିକେଟ୍ ନେଇଥିଲେ ଦୀପ୍ତି। ସେହିପରି ପୂଜା ବସ୍ତ୍ରାକର ୨ ୱିକେଟ୍ ନେଇଥିବା ବେଳେ ରେଣୁକା ସିଂହ ଗୋଟିଏ ୱିକେଟ୍ ନେଇଥିଲେ।
ଭାରତ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଭଲ ବ୍ୟାଟିଂ ଲାଇନ୍ ଅପ୍ ପାଇଁ ଜଣାଶୁଣା ଭାରତୀୟ ଦଳ ଆରମ୍ଭରୁ ଚାପରେ ରହିଥିଲା ଏବଂ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । କିନ୍ତୁ ଦଳ ୧୯.୪ ଓଭରରେ ୧୨୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପାଇଁ ରିଚା ଘୋଷ ସର୍ବାଧିକ ୨୬ ରନ୍ ସଂଗ୍ରହ କରିଥିଲେ। କ୍ୟାପଟେନ ହରମନପ୍ରୀତ କୌର (୧୨) ଓ ଭାଇସ୍ କ୍ୟାପଟେନ ସ୍ମୃତି ମନ୍ଧାନା (୧୭) ଫେଲ୍ ମାରିଥିଲେ । ପାକିସ୍ତାନର ଦଳ ଗତ ମ୍ୟାଚରେ ଥାଇଲ୍ୟାଣ୍ଡକୁ ହରାଇବା ପରେ ଏବେ ଟାଇଟଲ ଦାବିଦାର ଭାରତକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ।
ମହିଳା ଟି-୨୦ ଏସିଆ କପ୍ ୨୦୨୨ରେ ଭାରତ ଆଉ ଦୁଇଠି ଗ୍ରୁପ୍ ମ୍ୟାଚ୍ ଖେଳିବ। ଶନିବାର ବାଂଲାଦେଶ ସହିତ ଗୋଟିଏ ଓ ସୋମବାର ଥାଇଲାଣ୍ଡ ସହ ଆଉ ଗୋଟିଏ ଗ୍ରୁପ୍ ମ୍ୟାଚ୍ ଖେଳିବ ଭାରତ। ସେହିପରି ଫାଇନାଲ ଗ୍ରୁପ୍ ମ୍ୟାଚ୍ରେ ପାକିସ୍ତାନ ୟୁଏଇ ଓ ଶ୍ରୀଲଙ୍କାକୁ ଭେଟିବ। ଗ୍ରୁପ୍ ଷ୍ଟେଜ୍ ସରିବା ପରେ ଟପ୍ ୪ ଟିମ୍ ସେମିଫାଇନାଲ୍ ଖେଳିବେ। ଅକ୍ଟୋବର ୧୫ ତାରିଖରେ ସିଲହଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ ଖେଳାଯିବ।