ମହିଳା ଏସିଆ କପ୍-୨୦୨୨: ପାକିସ୍ତାନକୁ ହରାଇଲା ଥାଇଲାଣ୍ଡ
ଢାକା : ମହିଳା କ୍ରିକେଟ୍ ଏସିଆ କପ୍-୨୦୨୨ରେ ପାକିସ୍ତାନକୁ ହରାଇଲା ଥାଇଲାଣ୍ଡ। ବଂଲାଦେଶ ସିଲହଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ପାକିସ୍ତାନର ୧୧୭ ରନର ଟାର୍ଗେଟ୍କୁ ପୂରା କରିବାକୁ ଯାଇ ଥାଇଲାଣ୍ଡକୁ କଠିନ୍ନ ପରିଶ୍ରମ କରିବାକୁ ପଡିଥିଲା। ଦଳ ପକ୍ଷରୁ ନାତ୍ଥକନ ଚନ୍ଥାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବେଳେ ବୁଚଥାମ ଏବଂ କାନହୋ ମ୍ୟାଚ୍ ଶେଷ କରିଥିଲେ। ଶେଷ ଓଭର ବେଳକୁ ୧୦ ରନ୍ର ଆବଶ୍ୟକତା ପଡ଼ୁଥିବା ବେଳେ ବ୍ୟାଟିଂ କରୁଥିବା ନାତ୍ତାୟା ବୁଚାଥମ ଏବଂ ରୋସେନାନ୍ କନହୋ ଥାଇଲାଣ୍ଡକୁ ଜିତାଇଛନ୍ତି।
ମହିଳା କ୍ରିକେଟ୍ ଏସିଆ କପ୍ ଫାଇନାଲ୍ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ। ଦଳ ପକ୍ଷରୁ ସିଦ୍ରା ଅମୀନ ସର୍ବାଧିକ ୫୬ ବଲ୍ରେ ୬୪ ରନ୍ କରିଥିଲେ। ଫଳରେ ପାକିସ୍ତାନ ୫ ୱିକେଟ୍ ହରାଇ ୧୧୬ ରନ୍ କରିପାରିଥିଲା। ଥାଇଲାଣ୍ଡ ପକ୍ଷରୁ ସୋର୍ଣ୍ଣାରିନ ତିପ୍ପୁଚ ଦୁଇ ୱିକେଟ୍ ହାସଲ କରିଥିଲେ। ରନ୍ ଚେଜ୍ କରିବାକୁ ଯାଇ ଥାଇଲାଣ୍ଡକୁ କଡ଼ା ପରିଶ୍ରମ କରିବାକୁ ପଡ଼ିଥିଲା। ମ୍ୟାଚ୍ରେ ଥାଇଲାଣ୍ଡ ଖେଳାଳି ନାଥକନ ଚନ୍ଥାମ ଚମତ୍କାର ବ୍ୟାଟିଂ (୫୧ ବଲ୍ରେ ୬୧ରନ୍) କରିଥିଲେ। ତାଙ୍କର ଲଢ଼ୁଆ ବ୍ୟାଟିଂ ବଳରେ ପାକିସ୍ତାନ ୪ ୱିକେଟ୍ରେ ପରାସ୍ତ ହୋଇଛି।
ଏସିଆ କପ୍ ବିଜୟୀ ହେବା ପରେ ଖୁସୀରେ ଝୁମିଛି ଥାଇଲାଣ୍ଡ ମହିଳା କ୍ରିକେଟ୍ ଟିମ୍। ଶେଷ ବଲ୍ରେ ବୁଚଥାମ୍ ଶଟ୍ ମାରି ମ୍ୟାଚ୍ ଜିତାଇବାର ପରେ ପରେ ତୁରନ୍ତ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଟିମ୍ର ଅନ୍ୟ ସାଥି ଖେଳାଳି। ପଡ଼ିଆ ଭିତରେ ହୋଇଥିଲା ଜବରଦସ୍ତ ସେଲିବ୍ରେସନ। ଏହି ସେଲିବ୍ରେସନ ବେଳର ଭିଡିଓକୁ ଏସିଆନ୍ କ୍ରିକେଟ୍ କାଉନସିଲ ନିଜ ଟ୍ୱଟର ହ୍ୟାଣ୍ଡେଲରେ ଶେୟାର କରିଛି।