ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଓ ୩ ବର୍ଷର ପୁତ୍ରଙ୍କ ଆତ୍ମହତ୍ୟା
ମୁମ୍ବାଇ : ଦେଶରେ ମହାମାରୀ କରୋନା ହୁ ହୁ ହୋଇ ବଢି ଚାଲିଛି । ଫଳରେ ଜନଜୀବନ ପ୍ରଭାବିତ ହେଉଥିବାବେଳେ ମହାମାରୀ ଲୋକଙ୍କୁ ମାନସିକ ରୂପରେ ପୂରା ଭାଙ୍ଗିଦେଇଛି । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ନାନ୍ଦେଡରେ ଏକ ଅଭାବନୀୟ ଘଟଣା ଘଟିଛି । ନାନ୍ଦେଡ ସହର ଠାରୁ ୪୦ କିଲୋମିଟର ଲୋହା ଗାଁରେ କରୋନା ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ପଜିଟିଭ ସ୍ୱାମୀଙ୍କର ମୃତ୍ୟୁ ହୋଇଯିବା ପରେ ସ୍ତ୍ରୀ ଆତ୍ମହତ୍ୟା କରିଛି । ମହିଳା ଜଣକ ଜଳାଶୟକୁ ଡେଇଁ ଜୀବନ ହାରିଥିଲେ । ବାପା-ମା’ଙ୍କର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ୩ ବର୍ଷର ଶିଶୁ ମଧ୍ୟ ପାଣିକୁ ଡେଇଁ ପଡ଼ିଥିଲେ। ଫଳରେ ଶିଶୁର ମୃତଦେହ ପରେ ଉଦ୍ଧାର କରାଯାଇଥିଲା ।
ପୋଲିସ କହିଛି ଯେ, ପରିବାର ତେଲେଙ୍ଗାନାରୁ ରୋଜଗାର ପାଇଁ ମହାରାଷ୍ଟ୍ର ଆସିଥିଲେ । ସେମାନେ ସ୍ଥାନୀୟ ଅଂଚଳରେ କାମ କରି ପେଟ ପୋଷୁଥିଲେ । ମହାରାଷ୍ଟ୍ରରେ ମିନି ଲକଡାଉନ ହେବା ପରେ ସ୍ୱାମୀ କରୋନା ପଜିଟିଭ ହୋଇ ଏପ୍ରିଲ ୧୩ ତାରିଖ ଆଖି ବୁଜିଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ଦମ୍ଭ ରହିଲା ନାହିଁ । ଶେଷରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ସେ ସୁନେଗାଓସ୍ଥିତ ଏକ ହ୍ରଦକୁ ଡେଇଁପଡ଼ି ଆତ୍ମହତ୍ୟା କଲେ । ମା’ଙ୍କ ମୃତ୍ୟୁ ପରେ ୩ ବର୍ଷର ପୁଅ ମଧ୍ୟ ପାଣିକୁ ଡେଇଁ ପଡ଼ିଲା । ପୋଲିସ ଉଭୟଙ୍କର ମୃତଦେହ ଜବତ କରିଛି । ପରିବାରେ ଏବେ ଏକ ପୁଅ ଓ ଝିଅ ରହିଲେ । ସେମାନେ ଅନାଥ ହୋଇ ଏବେ ବଂଚିବେ । ସ୍ଥାନୀୟ ଅଂଚଳରେ ଏହି ଘଟଣାକୁ ନେଇ ଶୋକର ଛାୟା ଦେଖାଯାଇଛି ।