ସଲମାନ ରୁଶଦୀଙ୍କୁ ଛୁରୀ ମାରିଥିବା ବ୍ୟକ୍ତି ଜଣକ କିଏ, ଜାଣନ୍ତୁ ଏହି ଆକ୍ରମଣ ପଛରେ କ’ଣ ଥିଲା ଉଦ୍ଦେଶ୍ୟ?
ନ୍ୟୁୟର୍କ : ବିଶ୍ୱର ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀ ନ୍ୟୁୟର୍କରେ ସାଂଘାତିକ ଆକ୍ରମଣ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରୁଶଦୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ରୁଶଦୀଙ୍କ ଦେହରେ ଅନେକ ଥର ଛୁରୀରେ ଆକ୍ରମଣ କରଯାଇଥିବା ଚିହ୍ନ ଦେଖିବାକୁ ମିଳିଛି । ଆକ୍ରମଣ ପରେ ରୁଶଦୀ ରକ୍ତରେ ଜୁଡୁବୁଡୁ ହୋଇଥିଲେ । ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଛି । ସୂଚନାନୁସାରେ, ତାଙ୍କର ଲିଭର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ନ୍ୟୁୟର୍କ ପୋଲିସ ଏହି ଆକ୍ରମଣକାରୀ ୨୪ ବର୍ଷୀୟ ହାଦି ମାତାର ବୋଲି ଚିହ୍ନଟ କରିଛି ।
ଛୁରାମାଡ଼ କରିଥିବା ବ୍ୟକ୍ତି କିଏ?
ଲେଖକ ସଲମାନ ରୁଶଦୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ନ୍ୟୁ ଜର୍ସିର ବାସିନ୍ଦା ବୋଲି କୁହାଯାଉଛି । ରୁଶଦୀ ନ୍ୟୁୟର୍କର ଏକ ଇଭେଣ୍ଟରେ ଏକ ବକ୍ତୃତା ଦେବାକୁ ଯାଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଚଢ଼ି ଲେଖକଙ୍କୁ ମୁଥା ମାରିଥିଲେ ଓ ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କୁ ହାଦି ମାତାର ବୋଲି ପୋଲିସ ଚିହ୍ନଟ କରିଛି । ସେ ୨୪ବର୍ଷୀୟ ବୋଲି କୁହାଯାଉଛି । ଲେଖକ ସଲମାନ ରୁଶଦୀଙ୍କୁ ଛୁରାମାଡ଼ କରିବାର କିଛି ମିନିଟ ପରେ ପୋଲିସ ଏହି ୨୪ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି । ଆଇନ ଶୃଙ୍ଖଳା ଅଧିକାରୀମାନେ ଆକ୍ରମଣକାରୀ ହାଦି ମାତାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପ୍ରାଥମିକ ଯାଞ୍ଚ କରିଛନ୍ତି । ଏନବିସି ନ୍ୟୁଜ୍ ଦ୍ୱାରା ଉଦ୍ଧୃତ ଆଇନ ଶୃଙ୍ଖଳା ଅଧିକାରୀ ଶିୟା ଉଗ୍ରବାଦ ଓ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ପ୍ରତି ତାଙ୍କର ସହାନୁଭୂତି ବିଷୟରେ ଜାଣିଥିଲେ । ତେବେ ମତର ଓ ଆଇଆରଜିସି ମଧ୍ୟରେ କୌଣସି ପ୍ରତ୍ୟକ୍ଷ ସଂଯୋଗ ନାହିଁ ବୋଲି କୁହାଯାଉଛି ।
ଏନବିସି ନ୍ୟୁଜ୍ ଅନୁଯାୟୀ, ଆଇନ ଶୃଙ୍ଖଳା ଅଧିକାରୀମାନେ ମତର ସହ ଜଡିତ ଏକ ମୋବାଇଲ୍ ଫୋନ୍ ମେସେଜିଂ ଆପରେ ନିହତ କମାଣ୍ଡର କାସେମ ସୋଲେମାନି ଓ ଇରାନ ଶାସକଙ୍କ ପ୍ରତି ସହାନୁଭୂତି ଦେଖାଇଥିବାର ଫଟୋ ପାଇଥିଲେ । ସୋଲେମାନି ଇରାନର ଜଣେ ବରିଷ୍ଠ ସୈନିକ ଯିଏ ଇସଲାମିକ ବିପ୍ଳବୀ ଗାର୍ଡ କର୍ପସରେ କାର୍ଯ୍ୟ କରିଥିଲେ । ୨୦୨୦ ମସିହାରେ ତାଙ୍କୁ ହତ୍ୟା କରାଯାଇଥିଲା ।
ଆକ୍ରମଣର ଉଦ୍ଦେଶ୍ୟ କ’ଣ ଥିଲା?
ସଲମାନ ରୁଶଦୀଙ୍କ ଉପରେ ହୋଇଥିବା ଆକ୍ରମଣରେ ବ୍ୟବହୃତ ଅସ୍ତ୍ର ସମ୍ପର୍କରେ ନ୍ୟୁୟର୍କ ପୋଲିସ ସୂଚନା ଦେଇନାହିଁ । ଏହି ଆକ୍ରମଣ ପଛରେ କ’ଣ ଉଦ୍ଦେଶ୍ୟ ରହିଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ନ୍ୟୁୟର୍କ ରାଜ୍ୟ ପୋଲିସର ମେଜର ଇଉଜିନ୍ ଷ୍ଟାନିଜେଉସ୍କି କହିଛନ୍ତି ଯେ ଆମେ ଏଫବିଆଇ, ସରିଫ୍ କାର୍ଯ୍ୟାଳୟ ସହ କାର୍ଯ୍ୟ କରୁଛୁ ଓ ଏହି ଆକ୍ରମଣର କାରଣ କ’ଣ ଏବଂ ଉଦ୍ଦେଶ୍ୟ କ’ଣ ତାହା ଆମେ ଶୀଘ୍ର ଖୋଜି ବାହାର କରିବୁ।