ପଡୋଶୀଙ୍କ ଆକ୍ରୋଶର ଶିକାର ମହିଳାଙ୍କୁ ନ୍ୟାୟ ମିଳିବ କେବେ?
ତିହିଡ଼ି : ଭଦ୍ରକ ଜିଲା ତିହିଡି ତହସିଲ ଅଧିନ ନୟାନନ୍ଦ ଗାଁରେ ସଞ୍ଜୁଲତା ଦାସଙ୍କ ଅନୁପସ୍ଥିତିରେ ତାଙ୍କ ଘରକୁ ତାଙ୍କର ଜଣେ ପଡୋଶୀ ଭାଙ୍ଗି ଦେଇ ଗାଈ ଗୁହାଳ ନିର୍ମାଣ କରିବା ସହିତ ଘର ସମ୍ମୁଖରେ ଚଳାଚଳ କରୁଥିବା ସରକାରୀ ରାସ୍ତା ଉପରେ ବେଆଇନ ଭାବେ ଗୃହ ନିର୍ମାଣ କରିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଞ୍ଜୁଲତା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ପାଳିଆବିନ୍ଧା ଆରଆଇ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ କରାଯିବା ପରେ ଜବର ଦଖଲ କରୁଥିବା ବ୍ୟକ୍ତିଙ୍କୁ ଗୃହ ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ସେ ଏହା ମାନି ନଥିଲେ । ପରେ ତହସିଲ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରିବା ଲାଗି ଗତ ତା ୧୪.୦୨.୨୩ରିଖରେ ନୋଟିସ ଜାରି କରାଯିବା ସହ ଏକ ମାସ ପରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ତହସିଲଦାର କହିଥିଲେ । ପରେ ସଞ୍ଜୁଲତା ତହସିଲଦାରଙ୍କୁ ସାକ୍ଷାତ କରି ଉଚ୍ଛେଦ ସଂପର୍କରେ କହିବାରୁ ବିଧାନସଭା ଚାଲିଥିବାରୁ ଏପ୍ରିଲ ମାସରେ ଉଚ୍ଛେଦ କରାଯିବ ବୋଲି କହିଥିଲେ । ମାତ୍ର ତାହା ବି କାର୍ଯ୍ୟକାରୀ ନ ହେବାରୁ ସେ ବାଧ୍ୟହୋଇ ୧୦ ତାରିଖ ତିହିଡିରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଉପସ୍ଥିତ ହୋଇ ଏଥିନେଇ ପୁନର୍ବାର ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଥାଉ କି ନୟାନନ୍ଦ ଗାଁର ଅମର ଦାସ ୭ ମାସ ହେଲା ନିଜ ପିଲାର ପାଠ ପଢା ଲାଗି ସପରିବାର ତିହିଡିରେ ଭଡାନେଇ ରହୁଛନ୍ତି । ଏହାର ସୁଯୋଗ ନେଇ ଅପରପକ୍ଷ ତାଙ୍କ ଘର ପଛ ପାଖ ଭାଙ୍ଗି ଉକ୍ତ ସ୍ଥାନରେ ଗାଈ ଗୁହାଳ ନିର୍ମାଣ କରିବା ଏବଂ ଚଳାଚଳ କରୁଥିବା ଘର ସମ୍ମୁଖରେ ଥିବା ସରକାରୀ ଜାଗାକୁ ଜବର ଦଖଲ କରି କୋଠାଘର ନିର୍ମାଣ କରୁଥିବା ଜଣାପଡିବା ପରେ ଅମର ଦାସଙ୍କ ସ୍ତ୍ରୀ ସଞ୍ଜୁଲତା ଦାସ ଏହାର ପ୍ରତିବାଦ କରିଥିଲେ । ଯାହାକୁ ନେଇ ଅପରପକ୍ଷ ଉତ୍କ୍ଷିପ୍ତ ହୋଇ କୁଭାଷାରେ ଗାଳିଗୁଲଜ କରିବା ସହିତ ଯଦି ପାରୁଛୁ ଜାଗା ବିକି ଦେ ବୋଲି ଧମକ ଦେଇଥିଲେ । ଏପରିକି ଘର କାମ କରୁଥିବା ମିସ୍ତ୍ରୀ ମଧ୍ୟ ସଞ୍ଜୁଲତାଙ୍କୁ ଗାଳିଗୁଲଜ ସହିତ ମାରିବାକୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ସଞ୍ଜୁଲତା ଗତ ତା ୦୬.୦୨.୨୩ରିଖରେ ଉଭୟ ଥାନା ଓ ତହସିଲଦାରଙ୍କ ନିକଟରେ ଫେରାଦ୍ ହୋଇ ନ୍ୟାୟ ଭିକ୍ଷା କରିଥିଲେ । ଏ ନେଇ ତହସିଲଦାର ପ୍ରତୀକ ସାହୁଙ୍କୁ ପଚାରିବାରୁ ଖୁବଶିଘ୍ର ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।