ପଶ୍ଚିମବଙ୍ଗରେ ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ

କୋଲକାତା : ପଶ୍ଚିମବଙ୍ଗରେ ଶନିବାର ହେଉଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ସହ ମନ ମୁତାବକ ପ୍ରାର୍ଥୀଙ୍କୁ ଭୋଟ୍ ଦେଉଛନ୍ତି । କରୋନା ସଂକ୍ରମଣ ମଧ୍ୟରେ ୮ଟି ପର୍ଯ୍ୟାୟରେ ହେଉଥିବା ପଶ୍ଚିମବଙ୍ଗ ନିର୍ବାଚନର ୫ମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇସାରିଛି। ରାଜ୍ୟରେ ୪୫ଟି ସିଟ୍ ପାଇଁ ଶନିବାର ମତଦାନ ହେବାକୁ ଥିବା ବେଳେ ଭୋଟରମାନେ ୩୪୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଉତ୍ତର ୨୪ ପ୍ରଗଣା, ପୂର୍ବ ବର୍ଦ୍ଧମାନ, ନଦିଆ, ଜଲପାଇଗୁଡ଼ି, ଦାର୍ଜେିଲିଂ ଏବଂ କାଲିମପୋଙ୍ଗ ଆଦି ଜିଲ୍ଲାଗୁଡ଼ିକର ବିଭିନ୍ନ ଆସନ ପାଇଁ ପାଇଁ ମତଦାନ ଚାଲିଛି । କଡ଼ା ନିରାପତ୍ତା ବ୍ୟବସ୍ଥା ହୋଇଥିବା ମତଦାନ କେନ୍ଦ୍ର ସମ୍ମୁଖରେ କୋଭିଡ୍-୧୯ ନିୟମ ପାଳନ କରିବା ସହ ଭୋଟ୍ ଦେବା ପାଇଁ ଭୋଟର୍ମାନେ ଲମ୍ବା ଧାଡ଼ି ବାନ୍ଧିଛନ୍ତି। ଏହି ପର୍ଯ୍ୟାୟରେ ୧ କୋଟିରୁ ଅଧିକ ଭୋଟର୍ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ। ଏହି ଅବସରରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିବା ଭୋଟର୍ମାନଙ୍କୁ ନିବେଦନ କରିଛନ୍ତି କି, ସେମାନେ ବିପୁଳ ସଂଖ୍ୟାରେ ଆସି ଭୋଟ୍ ଦିଅନ୍ତୁ। ସେ ଲେଖିଛନ୍ତି, ଆଜି ଚାଲିଥିବା ପଶ୍ଚିମବଙ୍ଗ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେବାକୁ ଥିବା ଭୋଟର୍ମାନେ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରୁଛି। ବିଶେଷକରି, ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିବା ଭୋଟର୍ମାନେ ସେମାନଙ୍କର ମତ ସାବ୍ୟସ୍ତ କରନ୍ତୁ।
ସୂଚନା ଯେ, ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହୋଇଥିବା ନିର୍ବାଚନରେ ଏପର୍ଯ୍ୟନ୍ତ ୧୩୫ ନିର୍ବାଚନମଣ୍ଡଳୀ ପାଇଁ ମତଦାନ ସରିଛି। ବାକିଥିବା ୧୫୯ ସିଟ୍ ପାଇଁ ଭୋଟିଂ ହେବାର ଅଛି। ଏପ୍ରିଲ ୧୭ ତାରିଖରୁ ୨୯ ତାରିଖ ମଧ୍ୟରେ ଅନ୍ୟ ଆସନ ଗୁଡିକରେ ଭୋଟିଂ ହେବ।ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଟିଏମ୍ସି ପାଇଁ ବେଶ୍ ଗରୁତ୍ୱପୂର୍ଣ୍ଣ । ଗତ ଥର ଏହି ୪୫ଟି ସିଟ୍ରୁ ୩୨ ସିଟ୍ ଜିତିଥିଲା ଶାସକ ଦଳ। କିନ୍ତୁ ଏଥର ଟିଏମ୍ସିକୁ କଡ଼ା ଟକ୍କର ଦେଉଛି ବିଜେପି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ପରେ ବିଧାନସଭା ନିର୍ବାଚନରେ ଦଳ ବିଜୟ ଲାଭ କରିବ ବୋଲି ଆଶା ରଖିଛି। ଏପରିକି ମମତା ବାନାର୍ଜୀଙ୍କ ହାତ ଛାଡି ଅନେକ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇଛନ୍ତି ।