ଆଜି ବିଶ୍ୱକର୍ମା ପୂଜା : ଜାଣନ୍ତୁ ଏହାର ଶୁଭ ସମୟ, ପୂଜା ବିଧି ଓ ମହତ୍ତ୍ବ
ଆଜି ଦେବ ଶିଳ୍ପୀ ପବିତ୍ର ବିଶ୍ୱକର୍ମାଙ୍କ ପୂଜା । ଏହି ଅବସରରେ ଆଜି ଗାଁରୁ ସହର ସବୁଠି ଉତ୍ସବ ମୁଖର । କଳକାରଖାନା ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ବେଶ ଧୂମାଧାମରେ ପାଳନ କରାଯାଉଛି ପୂଜା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇ ଯାଇଛି । ଭୁବନେଶ୍ୱର ରସୁଲଗଡ ଶିଳ୍ପାଅଞ୍ଚଳରେ ଆଜି ସକାଳୁ ପୂଜା ଅନୁଷ୍ଠିତ ହେଉଛି । ସେହିଭଳି ବନ୍ଦରନଗରୀ ପାରାଦୀପ ଓ ନାଲୋକ ନଗରୀ ଅନୁଗୁଳରେ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ହିନ୍ଦୁ ଧର୍ମରେ ବିଶ୍ୱକର୍ମା ପୂଜାର ବିଶେଷ ମହତ୍ବ ରହିଛି। ସାରା ଦେଶରେ ବିଶ୍ୱକର୍ମା ପୂଜା ବେଶ ଧୁମଧାମରେ ପାଳନ କରାଯାଏ । ଏହି ସମୟରେ ଲୋକମାନେ ନିଜ ଘରେ ଶୁଭ କାର୍ଯ୍ୟ ମଧ୍ଯ କରିଥାଆନ୍ତି । ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମାଙ୍କ ସପ୍ତମ ପୁତ୍ର ବିଶ୍ୱକର୍ମାଙ୍କ ଜନ୍ମଦିନକୁ ବିଶ୍ୱକର୍ମା ପୂଜା ଭାବେ ପାଳନ କରାଯାଏ । ଭଗବାନ ବିଶ୍ୱକର୍ମା ଏହି ଜଗତର ପ୍ରଥମ ଶିଳ୍ପୀ, କାରିଗର ତଥା ଇଞ୍ଜିନିୟର ଅଟନ୍ତି ଯିଏ ଏହି ଜଗତକୁ ସଜାଇବା ନେଇ କାର୍ଯ୍ୟ କରିଥିଲେ। ଆସନ୍ତୁ ଜାଣିବା ବିଶ୍ୱକର୍ମା ପୂଜାର ଶୁଭ ସମୟ ଓ ମହତ୍ତ୍ବ ବିଷୟରେ?
ଧାର୍ମିକ ସୂତ୍ର ଅନୁଯାୟୀ,ପ୍ରାଚୀନ କାଳରୁ ସମସ୍ତ ରାଜଧାନୀର ନିର୍ମାଣ ଭଗବାନ ବିଶ୍ୱକର୍ମା ହିଁ କରିିଥିଲେ । ସ୍ୱର୍ଗ ଲୋକ, ସ୍ୱର୍ଣ୍ଣ ଲଙ୍କା, ଦ୍ୱାରିକା ଏବଂ ହସ୍ତିନାପୁର ବି ବିଶ୍ୱକର୍ମାଙ୍କ ଦ୍ୱାରା ରଚିତ । ଏହି ବିଶ୍ୱକର୍ମା ପୂଜା ସେହି ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ଯେଉଁମାନେ କଳାକାର, ଶିଳ୍ପକାର ଏବଂ ବ୍ୟବସାୟୀ । ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି।
ଶୁଭ ସମୟ :
ଚଳିତ ବର୍ଷ ବିଶ୍ୱକର୍ମା ପୂଜାରେ ଦୁଇଟି ଶୁଭ ଯୋଗ ଗଠନ ହେଉଛି। ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ପ୍ରଥମ ଶୁଭ ସମୟ ସେପ୍ଟେମ୍ବର ୧୭ ତାରିଖ ସକାଳ ୭:୫୦ରୁ ଆରମ୍ଭ ହୋଇ ଦିପ୍ରହ୍ବର ୧୨ ବାଜି ୫ମିନିଟ୍ ରେ ଶେଷ ହେବ । ଏହି ସମୟରେ ଆପଣ ବିଧି ଅନୁଯାୟୀ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିପାରିବେ । ଦ୍ୱିତୀୟ ଶୁଭ ସମୟ ଦିପ୍ରହ୍ବର ୧:୫୯ରୁ ୦୩:୩୧ ପର୍ଯ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ ଆପଣ ଯାନ, କାରଖାନା ଓ ଘରୋଇ ଉପକରଣକୁ ପୂଜା କରିପାରିବେ ।
ପୂଜା ପଦ୍ଧତି :
ବିଶ୍ୱକର୍ମା ପୂଜା ଦିନ ସକାଳେ ଘର, କାରଖାନା ବା ଦୋକାନରେ ଥିବା ମେସିନ୍ ଓ ଯାନ ଗୁଡ଼ିକ ସଫା କରନ୍ତୁ । ଗାଧୋଇବା ପରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରନ୍ତୁ । ଏହାପରେ ବିଶ୍ୱକର୍ମାଙ୍କ ଧ୍ୟାନ କରି ମେସିନ୍ ଓ ଯାନଗୁଡ଼ିକ ପୂଜା କରନ୍ତୁ । ବିଶ୍ୱକର୍ମାଙ୍କୁ ଫୁଲ, ଫଳ ଓ ମିଠା ଇତ୍ୟାଦି ଅର୍ପଣ କରନ୍ତୁ । ଏହା ପରେ ମେସିନ୍ ଓ ଯାନ ଗୁଡ଼ିକ ପୂଜା କରନ୍ତୁ। ବିଶ୍ୱାସ କରାଯାଏ ଯେ, ଯେଉଁମାନେ ଏହି ଦିନ ଘରେ ରଖାଯାଇଥିବା ଯନ୍ତ୍ର ଗୁଡ଼ିକୁ ପୂଜା କରନ୍ତି ତାହା ସହଜରେ ଖରାପ ହୋଇନଥାଏ । ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିବା ଦ୍ବାରା ବ୍ୟବସାୟ ଓ ଆୟରେ ମଧ୍ଯ ବୃଦ୍ଧି ହୋଇଥାଏ ।
ପୂଜାର ମହତ୍ବ :
ବିଶ୍ୱକର୍ମାଙ୍କୁ ବ୍ରହ୍ମାଣ୍ଡର ପ୍ରଥମ କାରିଗର ଓ ଇଞ୍ଜିନିୟର ଭାବେ ବିବେଚନା କରାଯାଏ। ଏହି ଦିନ ଲୋକମାନେ ନିଜ କାରଖାନାରେ ସ୍ଥାପିତ ଉପକରଣ ଓ ଯନ୍ତ୍ରଗୁଡ଼ିକର ପୂଜା କରିଥାଆନ୍ତି। ଏହି ଦିନ ଯାନବାହାନ ମଧ୍ୟ ପୂଜା କରାଯାଏ । ବିଶ୍ୱାସ ରହିଛି ଯେ, ଯେଉଁମାନେ ବିଶ୍ୱକର୍ମା ପୂଜା ଦିନ ରୀତିନୀତି ଅନୁଯାୟୀ ପୂଜା କରନ୍ତି, ସେମାନଙ୍କ ଗାଡି ଓ ମେସିନ୍ ବର୍ଷ ସାରା ଖରାପ ହୋଇନଥାଏ ।
ବିଶ୍ୱକର୍ମା କିଏ ଓ ସୃଷ୍ଟି ପାଇଁ ତାଙ୍କର କି ଅବଦାନ କଣ :
- ବିଷ୍ଣୁ ପୁରାଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କୁ ଦେବତାମାନଙ୍କ କାଠଶିଳ୍ପୀ କୁହାଯାଏ। ପୁରାଣରେ ତାଙ୍କ ପାଇଁ ବର୍ଧକୀ ବା କାଷ୍ଠଶିଳ୍ପୀ ଶବ୍ଦ ବ୍ୟବହାର କରାଯାଇଛି।
- ବାସ୍ତୁଦେବଙ୍କ ବିବାହ ଅଙ୍ଗିରସୀ ନାମକ କନ୍ୟାଙ୍କ ସହ ହୋଇଥିଲା। ସେମାନଙ୍କ ଠାରୁ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ହୋଇଥିଲା। ବାସ୍ତୁଦେବ ବ୍ରହ୍ମାଙ୍କର ପୁଅ ଧର୍ମଙ୍କ ସନ୍ତାନ ଥିଲେ।
- ବ୍ରହ୍ମା ଭଗବାନ ବିଶ୍ୱକର୍ମାଙ୍କୁ ସୃଷ୍ଟିର ଶିଳ୍ପୀକାର ଭାବେ ନିଯୁକ୍ତ କରିଥିଲେ। ସେ ସ୍ୱର୍ଗଲୋକ, ଇନ୍ଦ୍ରପୁରୀ, ଦ୍ୱାରକା ନଗରୀ, ସ୍ୱର୍ଣ୍ଣ ଲଙ୍କା, ସୁଦାମାପୁରୀ ଭଳି ଅନେକ ନଗର ଓ ସ୍ଥାନ ନିର୍ମାଣ କରିଥିଲେ।
- ଭଗବାନ ବିଶ୍ୱକର୍ମା ଯମରାଜଙ୍କ କାଳଦଣ୍ଡ, ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର, ଭଗବାନ ଶିବଙ୍କର ତ୍ରିଶୁଳ, ପୁଷ୍ପକ ବିମାନ ସମେତ ଅନେକ ଅସ୍ତ୍ର ଶସ୍ତ୍ର ଓ ଉପକରଣ ତିଆରି କରିଥିଲେ।
- ଭଗବାନ ବିଶ୍ୱକର୍ମାଙ୍କୁ ଯନ୍ତ୍ର ଓ ଉପକରଣର ଦେବତା ଭାବରେ ମଧ୍ୟ ବିବେଚନା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଏ ସୃଷ୍ଟିରେ ନିର୍ମାଣ ହୋଇଥିବା ସବୁ ବସ୍ତୁର ମୂଳରେ ହିଁ ଭଗବାନ ବିଶ୍ୱକର୍ମା ଅଛନ୍ତି।
- ଏହା ମଧ୍ୟ କୁହାଯାଏ ଯେ ଭଗବାନ ବିଶ୍ୱକର୍ମା ସର୍ବପ୍ରଥମେ ଏ ସୃଷ୍ଟିର ମାନଚିତ୍ର ତିଆରି କରିଥିଲେ।
- ଭଗବାନ ବିଶ୍ୱକର୍ମାଙ୍କ ୫ଟି ଅବତାର ଅଛି। ସେସବୁ ହେଲା ବିରାଟ ବିଶ୍ୱକର୍ମା, ଧର୍ମବଂଶୀ ବିଶ୍ୱକର୍ମା, ଅଙ୍ଗିରାବଂଶୀ ବିଶ୍ୱକର୍ମା, ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା।
- ଭଗବାନ ବିଶ୍ୱକର୍ମାଙ୍କର ୫ଟି ପୁତ୍ର ମଧ୍ୟ ଅଛନ୍ତି। ସେମାନେ ହେଲେ ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦୈବଜ୍ଞ। ଏହାଛଡା ତିନି ପୁତ୍ର ଜୟ, ବିଜୟ ଓ ସିଦ୍ଧାର୍ଥଙ୍କ ବର୍ଣ୍ଣନା ମଧ୍ୟ କରାଯାଇଛି। ଏମାନେ ସମସ୍ତେ ଶିଳ୍ପୀଶାସ୍ତ୍ର ଓ ବାସ୍ତୁଶାସ୍ତ୍ରରେ ବିଦ୍ୱାନ ଥିଲେ।