ଗୁଜରାଟରେ ତାଣ୍ଡବ ରଚିଲା ‘ତୌକ୍ତେ’
- ବ୍ୟାପକ କ୍ଷୟକ୍ଷତି ସହ ପ୍ରବଳ ବର୍ଷା ପବନ, ଉପୁଡିଲା ଗଛ, ଭାଙ୍ଗିଲା ଟାଓ୍ୱାର
ଗୁଜରାଟ : ଉପକୂଳ ଛୁଇଁଲା ସାମୁଦ୍ରିକ ଝଡ଼ ‘ତୌକ୍ତେ’ । ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ପବନ ବହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ବଡ ବଡ ଗଛ ସାଙ୍ଗକୁ ବିଦ୍ୟୁତ ଖୁଣ୍ଟ ଓ ମୋବାଇଲ ଟାୱାର ସବୁ ଭାଙ୍ଗି ରାସ୍ତାରେ ଉପରେ ପଡିରହିଛି । ଏବେ ମଧ୍ୟ ସେଠାରେ ବର୍ଷା ଲାଗିରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜୁରାଟର ନିରାପଦ ସ୍ଥାନକୁ ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଗୁଜରାଟରେ ପହଂଚିବା ପୂର୍ବରୁ ମହାରାଷ୍ଟ୍ରର ମୁମ୍ବାଇରେ ତାଣ୍ଡବ ରଚିଥିଲା ତାଉତେ । ଏଥିସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ରାଜ୍ୟରେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ପ୍ରାୟ ୬ ଜଣଙ୍କର ମୃତ୍ୟୁ ହେବା ସହ କିଛି ଲୋକ ଆହତ ହୋଇଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ତାଉତେ ପାଇଁ ଗୁଜରାଟରେ ଏହା ବଡ କ୍ଷତି । କାରଣ ବିଗତ ୨୩ ବର୍ଷ ମଧ୍ୟରେ ଏଭଳି କ୍ଷୟକ୍ଷତି ହୋଇ ନଥିଲା । ବାତ୍ୟା କାରଣରୁ ୨ଟି ବଡ଼ ଡଙ୍ଗାରେ ୪୧୦ ଜଣ ଲୋକ ଫସିଯାଇଥିଲେ, ଯାହାକୁ କି ଭାରତୀୟ ନୌସେନାର ୩ଟି ଜାହାଜ ଉଦ୍ଧାର କରିଥିଲେ । ଗୁଜୁରାଟ ସରକାର କହିଛନ୍ତି ଯେ ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ଗୁଜରାଟକୁ ନିର୍ଦ୍ଦେଶ ଦେଇଛନ୍ତି ।
Army personnel last night cleared the road between Gujarat's Somnath district and Diu, which was blocked due to fallen trees; soon after vehicular movement also resumed #CycloneTauktae pic.twitter.com/9KAbyzBhh9
— ANI (@ANI) May 18, 2021
ଆରବ ସାଗରରେ ସୃଷ୍ଟ ଚଳିତବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ତୌକ୍ତେ ଇତିମଧ୍ୟରେ ଅତି ଭୟଙ୍କର ରୂପ ଧାରଣ କରି ସାରିଛି। ଏହାର ପ୍ରଭାବରେ ଭାରତର ପଶ୍ଚିମ ଉପକୂଳରେ ଥିବା ରାଜ୍ୟ ଗୋଆଠାରୁ ଆରମ୍ଭ କରି ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଆଦିରେ ପ୍ରବଳ ବର୍ଷା ଏବଂ ପବନ ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ସୋମବାର ରାତି ୮ଟା ୩୦ରେ ଗୁଜରାଟ ଉପକୂଳକୁ ମାଡ଼ ହୋଇଛି। ଭୂମିସ୍ପର୍ଶ ସମୟଠାରୁ ପ୍ରାୟ ୩ ଘଣ୍ଟା ଧରି ଗୁଜରାଟରେ ବାତ୍ୟା ପ୍ରଳୟ ରଚିଛି। ଘଣ୍ଟାପ୍ରତି ୧୮୫ କିମି ବେଗରେ ପବନ ବହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ସହିତ ଜୋରରେ ପବନ ବହୁଛି । ବର୍ଷା ପବନରେ ବଡ଼ ବଡ଼ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିଛି। ଏଥିଯୋଗୁ ଖାଲୁଆ ଅଞ୍ଚଳରେ ପାଣି ପଶିଯିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଥିବାରୁ ଗୁଜରାଟ ପ୍ରଶାସନ ଦେଢ଼ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛି। ବାତ୍ୟା ପାଇଁ ଅହମଦାବାଦ, ସୁରତ ଏବଂ ଭଦୋଦରାକୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ବାତ୍ୟା ତୌକତେ ପାଇଁ ଗୁଜରାଟ ସରକାର ଖାଲୁଆ ଅଞ୍ଚଳର ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି। ବାତ୍ୟା ମୁକାବିଲା ପାଇଁ ଗୁଜରାଟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। କୋଭିଡ ହସ୍ପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜରୁରୀ ସ୍ଥିତିରେ ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ୧୦୦ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି। ସେହିଭଳି ଆଜି ତୌକତେ ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ସମୟରେ ପ୍ରଳୟ ରଚିଛି। ମୁମ୍ବାଇରେ ଘଣ୍ଟା ପ୍ରତି ୧୧୪ କିମି ବେଗରେ ପବନ ବହିଛି। କେବଳ ସେତିକି ନୁହେଁ, ମୁମ୍ବାଇ ମହାନଗରୀ ସମୁଦ୍ର କୂଳରେ ୩.୯୫ ମିଟରର ଉଚ୍ଚ ଜୁଆର ଉଠିଥିଲା। ପରିସ୍ଥିତି ସଂପର୍କରେ ଅବଗତ ହେବା ଏବଂ ପ୍ରସ୍ତୁତି ସଂପର୍କରେ ଜାଣିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହିତ କଥା ହୋଇଛନ୍ତି। ଏଥିସହିତ ବାତ୍ୟା ଦ୍ବାରା ଗୋଆର କ୍ଷୟକ୍ଷତି ସଂପର୍କରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ ମଧ୍ୟ ଆଜି କଥା ହୋଇଛନ୍ତି। ବର୍ଷା ଏବଂ ପବନ ଯୋଗୁ ଆକାଶମାର୍ଗରେ ଦୃଶ୍ୟମାନତା କମିଯିବା ଫଳରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପର୍ଯ୍ୟାୟକ୍ରମେ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଜୋରରେ ପବନ ବହୁଥିବାରୁ ବାନ୍ଦ୍ରା-ୱର୍ଲି ସି ଲିଙ୍କ୍ରେ ଯାତାୟତକୁ ଅନୁମତି ଦିଆଯାଇ ନଥିଲା। ସେହିଭଳି ଲୋକାଲ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷା ଏବଂ ପବନ ଦ୍ବାରା ରାସ୍ତାଘାଟ ବୁଡ଼ିଯିବା ସହିତ ଅନେକ କ୍ଷୟକ୍ଷତି ହୋଇଛି। ବାତ୍ୟା ଯୋଗୁ ଶନିବାର ଗୋଆରେ ପ୍ରବଳ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବରେ ମୋଟ ୧୬ ଜଣଙ୍କର ଜୀବନ ଯାଇଛି। ସେଥିରୁ କର୍ଣ୍ଣାଟକ ଓ ଗୋଆରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ସେନା କିଭଳି ପ୍ରସ୍ତୁତି ରହିଛି ତାହାର ସମୀକ୍ଷା ମଧ୍ୟ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିଛନ୍ତି।