ଉପରାଷ୍ଟ୍ରପତି ନିର୍ବାଚନ : ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କଲା ଜେଏମ୍ଏମ୍
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳକୁ ଝଟକା ଦେଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ଝାଡଖଣ୍ଡ ମୁଖୀ ମୋର୍ଚ୍ଚା ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନରେ ରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି । ଦଳ ଏହାର ବିଧାୟକ ଓ ସାଂସଦମାନଙ୍କୁ ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ଭୋଟ୍ ଦେବାକୁ କହିଛି । ଉପରାଷ୍ଟ୍ରପତି ନିର୍ବାଚନରେ ଆଲଭା ଓ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କ ମଧ୍ୟରେ ଲଢ଼େଇ ହେବ ।
ଜେଏମଏମ ସଭାପତି ଶିବୁ ସୋରେନଙ୍କ ତରଫରୁ ସାଂସଦମାନଙ୍କୁ ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଦଳ ତରଫରୁ ମାର୍ଗରେଟ୍ ଆଲଭା ଉପରାଷ୍ଟ୍ରପତି ପ୍ରାର୍ଥୀ ଅଟନ୍ତି । ବହୁ ବିଚାର ବିମର୍ଶ ପରେ ଉପରାଷ୍ଟ୍ରପତି ନିର୍ବାଚନରେ ମାର୍ଗରେଟ୍ ଆଲଭାଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଆପଣ ସମସ୍ତ ସାଂସଦଙ୍କୁ ଅଗଷ୍ଟ ୬ ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ମାର୍ଗରେଟ୍ ଆଲଭାଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିର୍ଦ୍ଦେଶ ଦିଆଯାଉଛି ।
ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଶିବିରରୁ ଜେଏମଏମ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇଥିଲା । ଦଳ ହାଜରିବାଗର ପୂର୍ବତନ ସାଂସଦ ତଥା ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବଦଳରେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲା । ରାଜ୍ୟରେ ବହୁ ଆଦିବାସୀ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଜେଏମଏମ ଏହି ପଦକ୍ଷେପ ନେଇଥିଲା । ଏଥି ସହିତ ବହୁ କଂଗ୍ରେସ ବିଧାୟକ ମଧ୍ୟ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ।
ବର୍ତ୍ତମାନ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ବୁଧବାର ଦିନ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ମାୟାବତୀ ରାଷ୍ଟ୍ରପତି ନିର୍ବାଚନ ସମୟରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲେ । ଏହା ପରେ ବର୍ତ୍ତମାନ ସେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କ ସପକ୍ଷରେ ସମର୍ଥନ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ତରଫରୁ ପ୍ରାର୍ଥୀ କରାଯାଇଛି । ଜଗଦୀପ ଧନଖର ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ । ଅନ୍ୟପକ୍ଷରେ, ମାର୍ଗେଟ୍ ଅଲଭା ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଭାବରେ ମନୋନୀତ ହୋଇଛନ୍ତି । ତେବେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ବୋଲି ମନେ କରାଯାଉଛି ।