ସଟଡାଉନ ବେଳେ ବନ୍ଦ ରହିବ ଟିକାକରଣ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ଖେଳାଇଛି । ଏହାରି ମଧ୍ୟରେ ରାଜ୍ୟକୁ ଫେରିଛି ରାତ୍ରିକାଳୀନ କର୍ଫ୍ୟୁ ଓ ସଟଡାଉନ। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ସୀମାବର୍ତ୍ତୀ ଓଡ଼ିଶାର ୧୦ଟି ଜିଲ୍ଲାର ସହରାଞ୍ଚଳରେ ଲାଗୁ ସପ୍ତାହ ସଟଡାଉନ ବେଳେ କରୋନା ଟିକାକରଣ ବନ୍ଦ ରହିବ । ଏ ନେଇ ଆଜି ଓଡ଼ିଶା ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ।
ରାଜ୍ୟ ସ୍ବାସ୍ଥ୍ୟ ସଚିବ ପି.କେ.ମହାପାତ୍ରଙ୍କ ପକ୍ଷରୁ ଜାରି ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ କରୋନା ନିୟନ୍ତ୍ରଣ ଲାଗି ୧୦ଟି ଜିଲ୍ଲା-ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି । ଏହି ସଟଡାଉନ ସମୟରେ କରୋନା ଟିକାକରଣ ବନ୍ଦ ରହିବ । ଏ ନେଇ ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏସବୁ ଜିଲ୍ଲାର ଗ୍ରାମାଞ୍ଚଳ ଓ ଅନ୍ୟ ଅଞ୍ଚଳରେ ପୂର୍ବପରି ଟିକାକରଣ ଚାଲୁ ରହିବ ବୋଲି ଏହି ନିର୍ଦ୍ଦେଶରେ ସ୍ପଷ୍ଟ କରିଦିଆଯାଇଛି । ଏହି ଟିକାକରଣବେଳେ କୋଭିଡ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଯେ, ରାଜ୍ୟସରକାର ଗୁରୁବାର ଏହି ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଥିଲେ । ଏହାସହିତ ସଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଥିଲା । ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି ।