୩ରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ

ଯୋଗଦେବେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ
୫ଜଣଙ୍କୁ ଡକ୍ଟରେଟ୍ ,୪୧ଜଣଙ୍କୁ ପିଏଚ୍ଡି ଓ ୯୦ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ
ଯୋଗଦେବାକୁ ଥିବା ଅଧ୍ୟାପକ , ଛାତ୍ରଛାତ୍ରୀଙ୍କର ହେବ କରୋନା ଟେଷ୍ଟ
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ସମାରୋହ ଆସନ୍ତା ୩ ଏପ୍ରିଲ୍ ରେ ଅନୁଷ୍ଠିତ ହେବ । ଭାରତର ଉପରାଷ୍ଟ୍ରପତିି ଶ୍ରୀ ଭେଙ୍କିଆ ନାଇଡୁ ସମାବର୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବେ ଏବଂ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଧ୍ୟକ୍ଷତା କରିବେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ(ସିଏଜି) ଗିରୀଶଚନ୍ଦ୍ର ମୁର୍ମୁ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଂଟର(ବାର୍କ)ର ନିର୍ଦେଶକ ଅଜିତ୍ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ । ଏହାସହ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ମୋଟ ୪୧ଜଣଙ୍କୁ ପିଏଚ୍ଡି ଡିଗ୍ରୀ ଏବଂ ୯୦ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ସେହିପରି ସ୍ୱତନ୍ତ୍ର ସମାବର୍ତନ ଉତ୍ସବରେ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ୧୩୦ଜଣଙ୍କୁ ପିଏଚ୍ଡି/ଡିଲିଟ୍ ଡିଗ୍ରୀ ଏବଂ ୯୦ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ ।
ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ(ଏପ୍ରିଲ୍ ୧ ଓ ଏପ୍ରିଲ୍ ୩) ବିଶ୍ୱବିଦ୍ୟାଳୟ ନୂଆ କନଭୋକେସନ୍ ହଲ୍ ରେ ଅନୁଷ୍ଠିତ ହେବ । ଏଥିରେ ସର୍ବାଧିକ ୫୦୦ଜଣଙ୍କୁ ଅଂଶଗ୍ରହଣ କରିବେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସମେତ ଛାତ୍ରଛାତ୍ରୀ ଯେଉଁମାନେ ମଂଚର ନିକଟବର୍ତୀ ରହିବେ ସେମାନଙ୍କର ଆରଟିପିସିଆର୍ ପରୀକ୍ଷା କରାଯିବ ଏବଂ ଅନ୍ୟ ସମସ୍ତଙ୍କର ରାପିଡ୍ ଆଂଟିଜେନ୍ ଟେଷ୍ଟ କରାଯିବ । ଯେଉଁମାନଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବ କେବଳ ସେମାନଙ୍କୁ ହିଁ ଉତ୍ସବରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଅଭୟ କୁମାର ନାୟକ, ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସଂଯୋଜକ ତଥା ଲୋକ ପ୍ରଶାସନ ବିଭାଗ ମୁଖ୍ୟ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଓ ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ୱ ବିଭାଗ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ପ୍ରମୁଖ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।