ରାଜ୍ୟରେ ପରିସ୍ଥିତି ଆକଳନ କରି ଅନଲକ୍ ନିଷ୍ପତ୍ତି ନିଆଯିବ : ଡିଏମଇଟି

ଭୁବନେଶ୍ୱର : ରାଜ୍ୟରେ ଅନଲକ ପ୍ରୋସେସ୍ ଆରମ୍ଭ ହେବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଅନଲକ୍ ପାଇଁ ପରିସ୍ଥିତି ଆକଳନ କରି ନିଷ୍ପତ୍ତି ନିଆଯିବ। ଜାତୀୟ ଟାକ୍ସ ଫୋର୍ସ ଓ ‘ହୁ’ର ଗାଇଡ଼ଲାଇନକୁ ଅନୁପାଳନ କରାଯାଉଛି। ଏହା ସହ ବିଭିନ୍ନ ବିଶ୍ଵସ୍ତରୀୟ ସଂସ୍ଥା ଓ ଜାତୀୟ ସ୍ତରୀୟ ସଂସ୍ଥା ବିଶେଷଜ୍ଞମାନଙ୍କର ମତାମତ ନେଇ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ। ଏ ଦିଗରେ ବାରମ୍ବାର ସମୀକ୍ଷା ଚାଲିଛି । ୫% କି ୧୦% ମାନଦଣ୍ଡ ରଖାଯିବ ତାହା ବିଚାର ବିମର୍ଶ ପରେ ନିଷ୍ପତ୍ତି ନିଆଯିବ। ମାତ୍ର ଲୋକମାନେ ସବୁ ନିୟମ ପାଳନ କରନ୍ତୁ । ଅଯଥାରେ କର୍ଫ୍ୟୁ ସପ୍ତାହନ୍ତ ସଟଡ଼ାଉନ ଓ କଟକଣା ପାଇଁ ବାଧ୍ୟ କରନ୍ତୁ ନାହିଁ ବୋଲି କହିଛନ୍ତି ଡିଏମଇଟି । ସେହିପରି ପଜିଟିଭିଟି ହାର କମୁଛି । ଏହା ଆଶ୍ୱସ୍ତିର କଥା । ଆଶା କରିବା ଆହୁରି କମିବ । ଏବେ ଲକଡାଉନ ଆଉ ଅନଲକ୍ ନିୟମିତ ପ୍ରକ୍ରିୟା ହେଇଯାଇଛି । କାରଣ ଏହା ସଂକ୍ରମିତଙ୍କ ସଂଖ୍ୟା ଉପରେ ଓ ଲୋକଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ପରିସ୍ଥିତିକୁ ଲକ୍ଷ୍ୟ କରି ସମୀକ୍ଷା କରାଯିବ । ଅନଲକ କଲେ ସଂକ୍ରମଣ ଆଉ ଥରେ ହେବାର ସମ୍ଭାବନା ଉପରେ ଅନୁଧ୍ୟାନ କରାଯିବ । ତାପରେ ସରକାର ପଦକ୍ଷେପ ନେବେ । ଭାଇରସର ବହୁତ ଅଧିକ ମ୍ୟୁଟାଣ୍ଟ ରହିଛି । ନର୍ମାଲ ସାଇକେଲ ବେଳେ ମ୍ୟୁଟେସନ ଗୋଟେ ସାଧାରଣ ପ୍ରକ୍ରିୟା । ସେ ମଧ୍ୟରୁ କେତେକ ଇଫେକ୍ଟିଭ ଓ ଆଉ କେତେକ ଇନଇଫେକ୍ଟିଭ । ଡେଲ୍ଟା ପ୍ରଜାତି ମ୍ୟୁଟାଣ୍ଟ ଅଧିକ ପ୍ରଭାବୀ ଥିଲା । ଅନ୍ୟ ମ୍ୟୁଟାଣ୍ଟ ମଧ୍ୟ ଆସିପାରେ ।
ସେହିପରି ପୋଷ୍ଟ କୋଭିଡ କମ୍ପେଲିକେସି ନେଇ ଡିଏମଇଟି କହିଛନ୍ତି ଯେ, କୋଭିଡ ପରେ ବହୁତ ରୋଗୀମାନଙ୍କ ନିକଟରେ ଦୁର୍ବଳତା, ଭୋକ ନ ହେବା, ବେଳେ ବେଳେ ଅଣନିଶ୍ୱାସୀ ଲାଗିବା, ଚାଲିଲେ ଧାଇଁସଇଁ ହେବା ପରି ଲକ୍ଷଣ ରହୁଛି । କିଛି ଲକ୍ଷଣ ଫିଜିକାଲ ଓ କିଛି ସାଇକୋଲୋଜିକାଲ ଲକ୍ଷଣ ବି ରହୁଛି । ଯଦି କାହାର ଏମିତି ଲକ୍ଷଣ ଦେଖାଯାଉଛି ତେବେ ସେମାନେ ଡାକ୍ତରଖାନା ଆସନ୍ତୁ ଓ ନିଜକୁ ପରୀକ୍ଷା କରାଇ ନିଅନ୍ତୁ । ସବୁଠୁ ବଡ଼ କଥା ହେଉଛି ଲୋକମାନେ ମାନସିକ ସ୍ତରରେ ଆଶ୍ୱସ୍ତ ରୁହନ୍ତୁ ଯେ ତାଙ୍କ ପଛରେ ସରକାରୀ କଳ ଓ ସ୍ୱାସ୍ଥ୍ୟ ବିଭାଗ ରହିଛି । ସେମାନଙ୍କୁ ଆବଶ୍ୟକ ପଡ଼ିଲେ ଡ଼ାକ୍ତରୀ ଚିକିତ୍ସା ଦେବାରେ କୌଣସି ଅସୁବିଧା ନାହିଁ । ତେଣୁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ ରଖିବା ସହ ପୁରୁଣା ଜୀବନଶୈଳୀକୁ ଫେରିବାକୁ ଲୋକମାନେ ଚେଷ୍ଟା କରନ୍ତୁ ବୋଲି ଡ଼ିଏମଇଟି କହିଛନ୍ତି। ନକଲି ଔଷଧକୁ ନେଇ ଡିଏମଇଟି କହିଛନ୍ତି ଯ, ନକଲି ଔଷଧ ବେପାର ନୂଆ ନୁହେଁ । ସେଥିପାଇଁ ପୂର୍ବରୁ ମଧ୍ୟ ଆଇନ ଅଛି । ପରିସ୍ଥିତି ଆସିଲେ ମୁନାଫାଖୋର ବ୍ୟବସାୟୀ ଏମିତି କରନ୍ତି । ସରକାର ସଚେତନ ଅଛନ୍ତି । ତଦନ୍ତ ହୋଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇସିଏମଓ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ଟେଣ୍ଡର ପ୍ରକ୍ରିୟା ସହ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି । ମାନବସମ୍ବଳ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ଏମ୍ସ ନଭେମ୍ବରରୁ ପ୍ରକ୍ରିୟା ଆରମ୍ଭ କରି ଏପର୍ଯ୍ୟନ୍ତ କରିପାରିନାହାନ୍ତି । କମ୍ପାନୀ ଯେତେ ଜଲଦି ଦେବ ଆମେ କାର୍ଯ୍ୟକ୍ଷମ କରିବୁ । ସଂକ୍ରମଣ ହାର ବା ଟିପିଆର ସବୁବେଳେ ପରିବର୍ତ୍ତନ ହେଉଛି । କେତେବେଳେ ବଢୁଛି ପୁଣି କେତେବେଳର କମୁଛି । ଘର ଭିତରେ ଅଧିକ ଲୋକ ରହିଲେ ମଧ୍ୟ ମାସ୍କ ପିନ୍ଧନ୍ତୁ । ଅଯଥା ଗହଳିକୁ ଯାଆନ୍ତୁ ନାହିଁ, ଯଦି ଯାଉଛନ୍ତି ମାସ୍କ ପିନ୍ଧନ୍ତୁ । ହାତ ଧୁଆନ୍ତୁ । କୋଭିଡ କଟକଣା ଭିତରେ ରଜ ପାଳନ କରନ୍ତୁ ।