ଉମର ଖାଲିଦଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ଜେଏନ୍ୟୁର ପୂର୍ବତନ ଛାତ୍ର ତଥା ସାମାଜିକ କର୍ମୀ ଉମର ଖାଲିଦଙ୍କୁ ଦିଲ୍ଲୀ ଦଙ୍ଗା ଘଟଣାରେ ଜାମିନ ମିଳିଛି। ତେବେ ଦିଲ୍ଲୀ ହିଂସାର ଆଉ ଗୋଟିଏ ମାମଲାରେ ତାଙ୍କ ନାଁରେ ୟୁଏପିଏ ଲାଗିଥିବାରୁ ସେ ଜେଲ୍ରୁ ଏବେ ବାହାରି ପାରିବେ ନାହିଁ। କୋର୍ଟ ଜାମିନ ପ୍ରଦାନ ବେଳେ କହିଛନ୍ତି ଯେ ବିସ୍ତୃତ ତଥ୍ୟ ନଥିବା ଗୋଟିଏ ମାମଲାରେ ୩୩ ବର୍ଷୀୟ ଉମର ଖାଲିଦ କେବେ ହେଲେ ଜେଲ୍ର ଚାରି କାନ୍ଥ ମଧ୍ୟରେ ରହିପାରିବେ ନାହିଁ। କରୋନା ସଂକ୍ରମଣ ବ୍ୟାପୁଥିବାରୁ ଜେଲ୍ରୁ ବାହାରିବା ବେଳେ ଖାଲିଦଙ୍କୁ ଆରୋଗ୍ୟ ସେତୁ ଆପ୍ ଇନଷ୍ଟଲ କରିବାକୁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି।
ଗତବର୍ଷ ନାଗରିକତା ସଂଶୋଧନ ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ବେଳେ ଖଜୁରି ଖାସରେ ହିଂସା ଘଟିଥିଲା। ଏଥିରେ ଖାଲିଦଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ଦିଲ୍ଲୀ ପୋଲିସ୍ ତାଙ୍କୁ ଗତବର୍ଷ ଅକ୍ଟୋବର ମାସରେ ଗିରଫ କରିଥିଲା। ଗତବର୍ଷ ସିଏଏ ବିରୋଧୀ ଆନ୍ଦୋଳନକୁ କେନ୍ଦ୍ର କରି ଫେବୃଆରୀ ୨୪ରେ ଦିଲ୍ଲୀରେ ଦଙ୍ଗା ଦେଖିବାକୁ ମିଳିଥିଲା। ଏଥିରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ। ଦିଲ୍ଲୀ ପୋଲିସ୍ର କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜଶିଟ୍ରେ କହିଥିଲା ଯେ ଦଙ୍ଗା ପୂର୍ବରୁ ଜାନୁଆରୀ ୮ରେ ଖାଲିଦ ଶାହିନ ବାଗରେ କିଛି ଲୋକଙ୍କୁ ନେଇ ମିଟିଂ କରିଥିଲେ। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦିଲ୍ଲୀ ଗସ୍ତରେ ଆସିବା ବେଳେ ହିଂସାକାଣ୍ଡ ସୃଷ୍ଟି କରିବାକୁ ସେ ଲୋକଙ୍କୁ ଉସକାଇଥିଲେ ବୋଲି ପୋଲିସ କହିଥିଲା। ଖାଲି ସେତିକି ନୁହେଁ, ଖାଲିଦ ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର ଓ ମହାରାଷ୍ଟ୍ରରେ ଆୟୋଜିତ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ହିଂସା ପାଇଁ ଉସକାଇଥିବା ମଧ୍ୟ ପୁଲିସ୍ ଚାର୍ଜଶିଟ୍ରେ କହିଥିଲା। ସେହିପରି କୋର୍ଟ କହିଛନ୍ତି ଯେ, ଦଙ୍ଗାରେ ସାମିଲ ଥିବା ତଥାକଥିତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଖାଲିଦକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜେଲ୍ରେ ରଖାଯାଇ ପାରିବ ନାହିଁ। ଖାଲିଦି ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ପୁଲିସ୍ ଦେଇଥିବା ତଥ୍ୟରୁ ବଳିଷ୍ଠ ପ୍ରମାଣ ମିଳିପାରୁନାହିଁ। ଖାଲିଦ ହିଂସାକାଣ୍ଡ ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବୋଲି ସରକାରୀ ଓକିଲ କେବେ ହେଲେ କହି ନାହାନ୍ତି କିମ୍ବା ପୁଲିସ୍ ପ୍ରମାଣ ମଧ୍ୟ ଦେଇନାହିଁ। କୌଣସି ସାକ୍ଷୀ କିମ୍ବା ପୁଲିସ୍ କର୍ମୀଚାରୀ ତାଙ୍କ ଉପସ୍ଥିତିକୁ ଦେଖିନାହାନ୍ତି। ଚାର୍ଜଶିଟ୍ରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ବିସ୍ତୃତ ଓ ବିଳିଷ୍ଠ ପ୍ରମାଣ ନାହିଁ ବୋଲି କୋର୍ଟ ଜାମିନ ପ୍ରଦାନ କରିବା ବେଳେ କହିଛନ୍ତି।