ଦୁଇ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି : ମାଓବାଦୀଙ୍କ ବର୍ବର କାଣ୍ଡ । ସବୁ ସୀମା ଟପି ପିଲିସ ଇନଫର୍ମର ସନ୍ଦେହରେ ୨ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ ମିଲମପାଲ୍ଲି ଜଙ୍ଗଲରେ। ମୃତ ଛାତ୍ରଦ୍ଵୟ ହେଲେ ତାତି ହିଡ଼ମା ଏବଂ ମାଡ଼କାମ ଅର୍ଜୁନ। ଏନେଇ ସୂଚନା ଦେଇଛନ୍ତି ସୁକମା ଏସପି କେ ଏଲ୍ ଧ୍ରୁବ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ଗଳା କାଟି ହତ୍ୟା କଲେ ଲାଲ୍ ବାହିନୀ । ଜାଗରକୋଣ୍ଡା ଥାନା ଅନ୍ତର୍ଗତ ମିଲମପାଲ୍ଲି ଜଙ୍ଗଲ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା କରିବା ପରେ ଘଟଣାସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି । ସୂଚନା ଜେ, ସୋମବାର ସକାଳେ ମିଲମପାଲ୍ଲି ଜଙ୍ଗଲରେ ୨ ଜଣଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ହତ୍ୟାର ଶିକାର ହୋଇଥିବା ଦୁଇ ଛାତ୍ର ପୋଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିବା ସନ୍ଦେହ କରି ମାଓବାଦୀମାନେ ଉଭୟଙ୍କୁ ସେମାନଙ୍କ ଘରୁ ଡାକି ନେଇଥିଲେ। ପରେ ସେମାନଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ମାଓବାଦୀଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ନିନ୍ଦା କରାଯାଇଛି।