ଆଜିଠାରୁ ରାଜ୍ୟରେ ଦୁଇ ଦିନ ବର୍ଷା, ଏହି ଦିନଠାରୁ ବଢ଼ିବ ଶୀତ

ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଫଳରେ ଆଜି ଓ ଆସନ୍ତାକାଲି କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ବର୍ଷା କାରଣରୁ ଆଗାମୀ ୩ ରୁ ୪ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ୨ ରୁ ୪ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । ବାତ୍ୟା ମିଧିଲି ବାଂଲାଦେଶ ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡ଼ିନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସୂଚନା ଜାରି କରାଯାଇଛି ।
ସୂଚନା ଅନୁଯାୟୀ, ପଶ୍ଚିମା ଝଡ଼ ଓ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟରେ ସୋମବାର ଓ ମଙ୍ଗଳବାର ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ରହିଛି । ସୋମବାର କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୨୧ ତାରିଖ ଦିନ ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଭଦ୍ରକ ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କଟକ ଓ ନବରଙ୍ଗପୁର ଆଦି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ତେବେ ଆଗାମୀ ୩ରୁ ୪ ଦିନ ପରେ ରାତି ତାପମାତ୍ରା ପାଖାପାଖି ୨ରୁ ୪ ଡିଗ୍ରୀ ଖସିବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜ୍ୟରେ ଶୀତ ଅନୁଭବ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।