୯୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଟ୍ରକ ଜବତ, ଦୁଇ ଗିରଫ
ବୌଦ୍ଧ : ବୌଦ୍ଧ ଜିଲା ଘଣ୍ଟାପଡ଼ା ଥାନା ପୋଲିସକୁ ବଡ଼ ସଫଳତା । ପାଟ୍ରୋଲିଂ ବେଳେ ଶ୍ରୀମାଲ ଛକରୁ ବିପୁଳ ପରିମାଣର ଗଞ୍ଜେଇ ସହ ଟ୍ରକ ଜବତ । ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଯେ, ଫୁଲବାଣୀ ଅଞ୍ଚଳରୁ ବୌଦ୍ଧ ଦେଇ ବାହାର ରାଜ୍ୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ପୋଲିସ କୌଣସି ସୁତ୍ରରୁ ଖବର ପାଇ ଘଣ୍ଟାପଡ଼ା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଫୁଲବାଣୀ ପଟୁ ଆସୁଥିବା ଏକ ଟ୍ରକକୁ ଶ୍ରୀମାଲ ଛକ ନିକଟରେ ଅଟକାଇଥିଲା । ଯାଞ୍ଚ ସମୟରେ ଟ୍ରକ ଭିତରେ ୨୪ ବସ୍ତା ଗଞ୍ଜେଇ ଥିବା ଜଣାପଡିଛି । ପୋଲିସ ଟ୍ରକ ସହ ଗଞ୍ଜେଇକୁ ଜବତ କରିଛି ।ତେବେ ଜବତ ଗଞ୍ଜେଇର ଓଜନ ପ୍ରାୟ ୮ କ୍ୱିଣ୍ଟାଲ ୪୯ କେଜି ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ବୋଲି ସୂଚନା ମିଳିଛି । ଏହାସହ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ବିହାର ରାଜ୍ୟ ଗୟା ଜିଲ୍ଲା ବରଛାଲି ଥାନା ଲିମୋଗରା ଗାଁର ଚନ୍ଦମ କୁମାରା (୨୧ବର୍ଷ), ଅନ୍ୟ ଜଣେ ବିଲ୍ଲା ଗାଁର ରାକେଶ କୁମାରା (୨୧ ବର୍ଷ ) ବୋଲି ଜଣାପଡିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ନେଇ ଘଣ୍ଟାପଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।