ପରିବହନ ବିଭାଗର ନୂଆ ପଦକ୍ଷେପ ! ଏଣିକି ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ରକ୍ଷା କରିବେ ଟ୍ରାଫିକ କର୍ମଚାରୀ
ଭୁବନେଶ୍ୱର : ଏଣିକି ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ରକ୍ଷା କରିବେ ଟ୍ରାଫିକ କର୍ମଚାରୀ । ଏଥିନିମନ୍ତେ ରାଜ୍ୟର କନଷ୍ଟେବଳ ଓ ହୋମଗାର୍ଡଙ୍କୁ ଦିଆଯିବ ଜୀବନ ରକ୍ଷା ପ୍ରଶିକ୍ଷଣ ତାଲିମ୍ । ଏନେଇ ରାଜ୍ୟ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ।
ସାଧାରଣ ଭାବେ ଦୁର୍ଘଟଣାସ୍ଥଳରେ ପ୍ରଥମେ ପୋଲିସ ପହଞ୍ଚିଥାଏ । ତେଣୁ ସେମାନେ ଉଚିତ ପଦକ୍ଷେପ ନେଇପାରିଲେ ଆହତଙ୍କ ଜୀବନ ରକ୍ଷା ହୋଇପାରିବ । ‘ରକ୍ଷକ କାର୍ଯ୍ୟକ୍ରମ ଜରିଆରେ ପରିବହନ ବିଭାଗ ପକ୍ଷରୁ ରାଜପଥ ଓ ମୁଖ୍ୟ ସଡ଼କ କଡ଼ରେ ଥିବା ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଜୀବନ ରକ୍ଷା ପ୍ରଶିକ୍ଷଣ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ପୋଲିସ କନଷ୍ଟେବଳ ଓ ହୋମଗାର୍ଡଙ୍କୁ ତାଲିମ୍ ଦିଆଯିବ । ରାସ୍ତା କଡ଼ରେ ରହୁଥିବା ଲୋକଙ୍କୁ ଜୀବନ ରକ୍ଷା ପ୍ରଶିକ୍ଷଣ ଦିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିଶ କରିଛନ୍ତି ।
ଦୁର୍ଘଟଣା ପରେ ଏକ ଘଣ୍ଟା ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ସମୟରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇ ପାରିଲେ ଆହତଙ୍କ ଜୀବନ ରକ୍ଷାର ସମ୍ଭାବନା ୫୦ ପ୍ରତିଶତ ବୃଦ୍ଧି ପାଇଥାଏ । ଏହି ପଦକ୍ଷେପ ଫଳରେ ତାଲିମଧାରୀମାନେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ପାରିବେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଜିଲ୍ଲାସ୍ତରରେ ଆରମ୍ଭ ହେବ । କନଷ୍ଟେବଳ ଓ ହୋମଗାର୍ଡ ଆହତଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।