ଟୋକିଓ ଅଲିମ୍ପିକ୍ସ : ଆୟୋଜକ ଜାପାନକୁ ହରାଇ କ୍ଵାର୍ଟରରେ ଭାରତୀୟ ପୁରୁଷ ହକି ଦଳ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଅଷ୍ଟମ ଦିନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛନ୍ତି। ପିଭି ସିନ୍ଧୁଙ୍କ ପରେ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଜବରଦସ୍ତ ଖେଳି ଅଲିମ୍ପିକରେ ପୁଲ ଏର ଶେଷ ମୁକାବିଲାରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଥିସହ ଆୟୋଜକ ଜାପାନକୁ ଜୋରଦାର ଝଟକା ଲାଗିଛି। ଘରୋଇ ପରିବେଶରେ ଭାରତୀୟ ହକି ଖେଳାଳିଙ୍କଠୁ ମାତ୍ ଖାଇଛି ଜାପାନ। ଭାରତ ପକ୍ଷରୁ ସିମରନଜିତ ସିଂହ, ସମଶେର ସିଂହ ଓ ନୀଲକାନ୍ତା ଶର୍ମା ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଛନ୍ତି। ଗୁରଞ୍ଜନ ସିଂହ ୨ ଗୋଲ୍ ଦେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜାପାନ ପକ୍ଷରୁ ଟନାକା, ଭତନାବେ ଓ ମୁରାଟା କଜୁମା ଗୋଲ୍ ଦେଇଥିଲେ। ଉଲ୍ଲେଖନୀୟ ଅଲିମ୍ପିକରେ ଏହା ଭାରତର କ୍ରମାଗତ ତୃତୀୟ ବିଜୟ। ଅଷ୍ଟ୍ରେଲିଆଠୁ ହାରିବା ପରେ ଭାରତୀୟ ପୁରୁଷ ହକି ଦଳ ସ୍ପେନ, ଆର୍ଜେଣ୍ଟିନା ପରେ ଏବେ ଜାପାନକୁ ମଧ୍ୟ ପରାସ୍ତ କରିଛି।
"We really tried playing at a much higher tempo tonight, trying to get on the tempo that we are going to need on Sunday."
— Hockey India (@TheHockeyIndia) July 30, 2021
Chief Coach Graham Reid is already preparing for #TeamIndia's Quarter-final clash.https://t.co/iTPDzAR11x#IndiaKaGame #HaiTayyar #Tokyo2020 #Hockey
ଭାରତୀୟ ଦଳ ଗତ ଦୁଇଟି ମ୍ୟାଚ୍ର ବିଜୟର ଉତ୍ସାହ ଓ ଆତ୍ମ ବିଶ୍ଵାସର ସହ ଜାପାନ ବିପକ୍ଷରେ ପଡିଆକୁ ଓହ୍ଲାଇଥିଲା। ମ୍ୟାଚ୍ର ପ୍ରଥମ କ୍ଵାର୍ଟରରେ ୧୨ତମ ମିନିଟ୍ରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣର ଜରିଆରେ ଗୋଲ୍ ଦେଇଥିଲେ। ହରମନପ୍ରୀତ ସିଂହଙ୍କ ଅଲିମ୍ପିକରେ ଏହା ଚତୁର୍ଥ ଗୋଲ୍। ପ୍ରଥମ କ୍ଵାର୍ଟର ସଂପୂର୍ଣ୍ଣ ଭାବେ ଭାରତ ପକ୍ଷରେ ଯାଇଥିଲା। ଦ୍ଵିତୀୟ କ୍ଵାର୍ଟରରେ ୧୭ତମ ମିନିଟ୍ରେ ଗୁରଞ୍ଜନ ସିମରନଜିତ ସିଂହଙ୍କ ପାସ୍କୁ ଗୋଲ୍ରେ ପରିଣତ କରି ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଭାରତୀୟ ଖେଳାଳି ଜାପାନର ଡିଫେନ୍ସକୁ ଚକମା ଦେବାରେ ସଫଳ ହୋଇଥିଲେ। ହେଲେ ୧୯ତମ ମିନିଟ୍ରେ କେଣ୍ଟା ଟନାକା ଜାପାନ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। ତାଙ୍କ ଷ୍ଟିକରୁ ବାହାରିଥିବା ବଲ୍ ବୀରେନ୍ଦ୍ର ଲାକ୍ରାଙ୍କୁ ମାତ୍ ଦେଇ ଗୋଲ ପୋଷ୍ଟ ଭିତରକୁ ଚାଲି ଯାଇଥିଲା। ଏହି ପରି ଦ୍ଵିତୀୟ କ୍ଵାର୍ଟରରେ ଦୁଇ ଦଳ ୧-୧ ଗୋଲ୍ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଭାରତ ଜାପାନ ବିରୋଧରେ ୨-୧ରେ ଆଗୁଆ ରହିଥିଲା। ତୃତୀୟ କ୍ଵାର୍ଟରରେ ମଧ୍ୟ ଦୁଇଟି ଗୋଲ୍ ହୋଇଥିଲା। ଗୋଟିଏ ଭାରତ ଦେଇଥିବା ବେଳେ ଦ୍ଵିତୀୟ ଗୋଲ୍ ଜାପାନ ନାମରେ ଥିଲା। ଜାପାନ ୩୧ତମ ମିନିଟ୍ରେ ଗୋଲ୍ ଦେଇ ଭାରତ ସହ ବରାବର କରିଥିଲା। ହେଲେ ଭାରତ ତୁରନ୍ତ ଗୋଟିଏ ମିନିଟ୍ ଭିତରେ ଅଗ୍ରଣୀ ହାସଲ କରିଥିଲା। ତୃତୀୟ ଗୋଲ୍ ସମଶେର କରିଥିଲେ। ଚତୁର୍ଥ ତଥା ଶେଷ କ୍ଵାର୍ଟରରେ ଭାରତ ପକ୍ଷରୁ ନୀଲକାନ୍ତ ୫୧ତମ ମିନିଟ୍ରେ ଗୋଲ୍ ଦେଇ ଭାରତକୁ ୪-୨ରେ ଆଗଆ କରିଥିଲେ। ଭାରତ ପକ୍ଷରୁ ଶେଷ ଗୋଲ୍ ଗୁରଞ୍ଜନଙ୍କ ଷ୍ଟିକ୍ରୁ ଆସିଥିଲା। ସେ ୫୬ ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ଭାରତକୁ ୫-୩ରେ ବିଜୟୀ କରାଇଛନ୍ତି।