ଟୋକିଓ ଅଲିମ୍ପିକ୍ସ : କ୍ୱାର୍ଟର ଫାଇନାଲରେ ହାରିଲେ ଦୀପିକା କୁମାରୀ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଅଷ୍ଟମ ଦିନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀଙ୍କ ପଦକ ଜିତିବା ସ୍ୱପ୍ନ ଚୁରମାର ହୋଇଯାଇଛି । ଦୀପିକା ଟୋକିଓ ଅଲିମ୍ପିକ୍ସରୁ ପରାସ୍ତ ହୋଇ ବାଦ୍ ପଡିଛନ୍ତି । ସେ ବ୍ୟକ୍ତିଗତ ଇଭେଣ୍ଟରେ ସେମିଫାଇନାଲରେ ପହଁଚିପାରି ନଥିଲେ । ସେ କ୍ୱାର୍ଟର ଫାଇନାଲରେ କୋରିଆର ଅନ୍ ସାନଙ୍କଠୁ ୬-୦ରେ ପରାଜୟବରଣ କରିଥିଲେ ।
ଏହାପୂର୍ବରୁ ଦୀପିକା ପ୍ରି କ୍ୱାର୍ଟର ଫାଇନାଲରେ ପୂର୍ବତନ ବିଶ୍ୱ ଚାମ୍ପିଅନ ତଥା ଋଷ ଅଲିମ୍ପିକ ସମିତିର ସେନିଆ ପେରୋବାଭଙ୍କୁ ମାତ୍ ଦେଇଥିଲେ । ଅନ୍ ସାନ୍ ଦୀପିକାଙ୍କୁ ୬-୦ରେ କ୍ୱାର୍ଟର ଫାଇନାଲରେ ହରାଇଥିଲେ । ସାନ୍ ନିଜର ପ୍ରଥମ ସେଟରେ ୩୦-୨୭ରେ ବିଜୟୀ ହୋଇଥିଲେ । ଦୀପିକା ପ୍ରଥମରୁ ୭ ପଏଣ୍ଟ ପଛରେ ଚାଲିଥିଲେ । ଏପରି ଭାବେ କୋରିଆ ୨-୦ରେ ଆଗୁଆ ରହିଥିଲା । ଦ୍ୱିତୀୟ ସେଟରେ ମଧ୍ୟ ଦୀପିକାଙ୍କୁ ୨୪-୨୬ରେ ପଛରେ ରହିବାକୁ ପଡିଥିଲା ।ତୃତୀୟ ସେଟକୁ ମଧ୍ୟ ସାନ୍ ୨୬-୨୪ରେ ଜିତି ବିଜୟୀ ହୋଇଥିଲେ । ସେହିପରି ମିକ୍ସଡ୍ ଇଭେଣ୍ଟରେ ମଧ୍ୟ ଦୀପିକାଙ୍କୁ କୋରିଆ ଟିମ୍ଠୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ସୂଚନା ଯେ, ଅଲିମ୍ପିକ୍ସ ଇତିହାସରେ ଭାରତକୁ ଏବେସୁଦ୍ଧା ପଦକ ମିଳିପାରି ନାହିଁ । ଏହାପୂର୍ବରୁ ଦୀପିକା ବିଶ୍ୱ କପରେ ତିନୋଟି ସୂର୍ଣ୍ଣ ଜିତିଥିଲେ ।