ରାଜ୍ୟରେ କରୋନା ସଂକ୍ରମିତ ଆଉ ୪୭ ମୃତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୩ହଜାର ୫୫୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ଜଣ ରହିଥିବା ବେଳେ ବରଗଡ଼, କଟକ, ନୟାଗଡ଼ ଜିଲାରୁ ୫ଜଣ ଲେଖାଏଁ ରହିଛନ୍ତି । ଗଞ୍ଜାମ, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା ଜିଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବାଲେଶ୍ୱର, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, ମୟୁରଭଞ୍ଜ, ନୂଆପଡ଼ା ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩ହଜାର ୮୦୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୮,୯୭,୦୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୬୦,୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ୩୩,୦୧୯ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୩,୮୪୮ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।