ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୫ତମ ବାର୍ଷିକ ସମାରୋହ ଆଜି

- କୁଳପତିମାନଙ୍କ ଜାତୀୟ ଆଲୋଚନାଚକ୍ରରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ
- କିଶୋର ମକୱାନାଙ୍କ ଦ୍ୱାରା ଡ. ଆମ୍ବେଦକରଙ୍କ ଉପରେ ଲିଖିତ ପୁସ୍ତକର ଉନ୍ମୋଚନ କରିବେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ଟା ବେଳେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୪ତମ ବାର୍ଷିକ ସମାରୋହ ଓ କୁଳପତିମାନଙ୍କ ଜାତୀୟ ଆଲୋଚନାଚକ୍ରକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ । ସେ ମଧ୍ୟ ଶ୍ରୀ କିଶୋର ମକୱାନାଙ୍କ ଦ୍ୱାରା ଲିଖିତ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଚାରିଟି ପୁସ୍ତକ ମଧ୍ୟ ଉନ୍ମୋଚନ କରିବେ । ଗୁଜରାଟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏଥିରେ ଉପସ୍ଥିତ ରହିବେ । ଅହମ୍ମଦାବାଦ ସ୍ଥିତ ଡକ୍ଟର ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟ ଏହି କାର୍ଯ୍ୟକ୍ରମ ଆୟୋଜିତ କରୁଛି ।
ଦେଶରେ ଉଚ୍ଚ ଶିକ୍ଷାର ସର୍ବୋଚ୍ଚ ସଂସ୍ଥା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏ.ଆଇ.ୟୁ) ଚଳିତମାସ ୧୪ ଓ ୧୫ ତାରିଖ ଦୁଇଦିନ ଧରି ଏହାର ୯୫ତମ ବାର୍ଷିକ ସମାରୋହ ପାଳନ କରୁଛି । ଏହି ଅଧିବେଶନରେ ଏ.ଆଇ.ୟୁ. ତାର ପୂର୍ବବର୍ଷର ସଫଳତାର ଆର୍ôଥକ ବିବରଣୀ ପ୍ରଦାନ କରିବା ସହ ଆଗାମୀ ବର୍ଷ ପାଇଁ ହାତକୁ ନେଉଥିବା ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥାଏ । ଏଥିରେ ଆସୀନ ସଦସ୍ୟମାନଙ୍କୁ ଆଂଚଳିକ କୁଳପତି ସମ୍ମିଳନୀରେ ସୁପାରିଶ ଓ ବର୍ଷବ୍ୟାପୀ ହୋଇଥିବା ଅନ୍ୟାନ୍ୟ ଆଲୋଚନା ସମ୍ପର୍କରେ ମଧ୍ୟ ଅବଗତ କରାଯାଏ । ଏଥି ସହ ଏ.ଆଇ.ୟୁ. ଏହାର ୯୬ତମ ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରିବ । ୧୯୨୫ମସିହାରେ ମହାନୁଭବ ଡକ୍ଟର ସର୍ବପଲ୍ଲୀ ରାଧାକିଷ୍ଣନ ଓ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୃଷ୍ଠପୋଷକତାରେ ଏହାର ଗଠନ କରାଯାଇଥିଲା ।
ଦେଶରେ ଉଚ୍ଚ ଶିକ୍ଷାର ସଂସ୍କାର ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ତ୍ୱରାନ୍ୱିତ କରିବା ନେଇ କୁଳପତିମାନଙ୍କ ଏକ ଜାତୀୟ ଆଲୋଚନାଚକ୍ର ମଧ୍ୟ ଏହି ସମ୍ମଳନୀ କାଳରେ ଅନୁଷ୍ଠିତ ହେବ । ନିକଟରେ ଲାଗି କରାଯାଇଥିବା ଜାତୀୟ ଶିକ୍ଷାନୀତି-୨୦୨୦କୁ ତ୍ୱରାନ୍ୱିତ କରିବା ନେଇ ମାର୍ଗଦର୍ଶିକା ମଧ୍ୟ ଏହି ଅଧିବେଶନ କାଳରେ ସ୍ଥିର ହେବ । ଏହାର ମୁଖ୍ୟ ହକ୍ଦାର ବିଦ୍ୟାର୍ଥୀମାନଙ୍କ ସ୍ୱାର୍ଥ ପାଇଁ ନୀତିକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଭୁଲ କାର୍ଯ୍ୟକାରୀ ଯୋଜନା ମଧ୍ୟ ପ୍ରସ୍ତୁତ ହେବ । ପୁସ୍ତକ ଉନ୍ମୋଚନ ବିଷୟରେ ଶ୍ରୀ କିଶୋର ମକୱାନାଙ୍କ ଦ୍ୱାରା ଲିଖିତ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଉପରେ ଆଧାରିତ ନିମ୍ନଲିଖିତ ପୁସ୍ତକଗୁଡିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ । ୧. ଡକ୍ଟର ଆମ୍ବେଦକର ଜୀବନ ଦର୍ଶନ । ୨. ଡକ୍ଟର ଆମ୍ବେଦକର ବ୍ୟକ୍ତି ଦର୍ଶନ । ୩.ଡକ୍ଟର ଆମ୍ବେଦକର ରାଷ୍ଟ୍ରଦର୍ଶନ ଏବଂ ୪. ଡକ୍ଟର ଆମ୍ବେଦକର ଆୟାମ୍ ଦର୍ଶନ ।