ଆଜି ସ୍ୱାୟତ୍ତ ଶାସନ ଦିବସ ; ଜାଣନ୍ତୁ ଏହି ଦିବସର ଉଦ୍ଦେଶ୍ୟ ଓ ମୌଳିକ ଲକ୍ଷ୍ୟ
ଆଜି ସ୍ୱାୟତ୍ତ ଶାସନ ଦିବସ । ପ୍ରତ୍ୟେକ ବର୍ଷ ଅଗଷ୍ଟ ୩୧ ତାରିଖକୁ ସ୍ୱାୟତ୍ତ ଶାସନ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନ ରାଜ୍ୟର ବିଭିନ୍ନ ପୌରାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥାଏ ।
ଓଡ଼ିଶାରେ ବ୍ରହ୍ମପୁର ମ୍ୟୁନିସପାଲଟି ସର୍ବପୁରାତନ ସ୍ୱାୟତ୍ତ ଶାସନ ସଂସ୍ଥା ରୂପେ ବିବେଚିତ ହୋଇଥାଏ । ୧୮୫୫ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା । ପରେ ୧୮୬୯ ମସିହାରେ କେନ୍ଦ୍ରାପଡ଼ା ଓ ଯାଜପୁର ଏବଂ ପରବର୍ତ୍ତୀ ସମୟରେ ୧୮୭୬ରେ କଟକ ଓ ବାଲେଶ୍ୱରକୁ ମ୍ୟୁନିସିପାଲଟି ରୂପେ ଘୋଷଣା କରାଯାଇଥିଲା । ପ୍ରାଚୀନ ଓଡ଼ିଶାରେ ବ୍ରହ୍ମପୁର ଥଲା ବାଣିଜ୍ୟିକ, ସାଂସ୍କୃତିକ, ଧାର୍ମିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ।
ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସୃଷ୍ଟି ହୋଇଥିଲା । କ୍ଷମତାର ବିକେନ୍ଦ୍ରୀକରଣ ଦ୍ୱାରା ଶାସନର ସୁଫଳ ଯେପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ତାହା ଏହି ଦିବସ ପାଳନର ଉଦ୍ଦେଶ୍ୟ । ବିଶେଷ କରି ଜନସ୍ୱାସ୍ଥ୍ୟ, ଶିକ୍ଷା, ସାଧାରଣ କଲ୍ୟାଣମୂଳକ କାର୍ଯ୍ୟକ୍ରମର ସୁଫଳ ଯେପରି ଜନତାଙ୍କ ନିକଟରେ ପହଞ୍ଚିପାରିବ ତାହା ସ୍ୱାୟତ୍ତ ଶାସନ ଦିବସ ପାଳନର ମୌଳିକ ଲକ୍ଷ୍ୟ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ନନ୍ଦବଂଶ ଶାସନ କାଳରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ପ୍ରଚଳନ କୌଟିଲ୍ୟ କରିଥିଲେ ବୋଲି ଅର୍ଥଶାସ୍ତ୍ରରେ ଉଲ୍ଲେଖ ରହିଛି ।