ବାଲେଶ୍ୱର : ୧୫୩ କରୋନା ସଂକ୍ରମିତ ଓ ୩୯୭ ସୁସ୍ଥ

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୧୫୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ସହରର ସହଦେବଖୁଣ୍ଟାରୁ ୩ଜଣ ଓ ଆଜିମାବାଦରୁ ୨ଜଣଙ୍କ ସମେତ ଅଙ୍ଗାରଗଡ଼ିଆ, ଚୁନଭାଟି, ଦାମୋଦରପୁର, ଗୋପାଳଗାଁ, ଆଇଟିଆଇ ଛକ, ମାକଲପୁର, ମାଣିଖମ୍ବ, ମାନସିଂବଜାର, ମୋତିଗଞ୍ଜ, ରାଣୀପାଟଣା, ସୁନହଟ ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ଦିନକରେ ବାଲେଶ୍ୱର ପୌରାଞ୍ଚଳରେ ମୋଟ ୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ବାହାନଗା ବ୍ଲକରୁ ୫୩ଜଣ, ବାଲିଆପାଳରୁ ୪, ବସ୍ତାରୁ ୩, ଭୋଗରାଇରୁ ଜଣେ, ଜଳେଶ୍ୱରରୁ ୩, ଖଇରାରୁ ୧୮, ନୀଳଗିରରୁ ଜଣେ, ଔପଦାରୁ ୫, ରେମୁଣାରୁ ୧୭, ସଦରରୁ ୨୩ ଓ ସୋର ବ୍ଲକରୁ ୯ଜଣ ବ୍ୟକ୍ତି ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୫,୩୫୩ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୭ଜଣ ସୁସ୍ଥ ହୋଇଛନ୍ତି ।
ସୂଚନା ଯେ, ଜିଲାରେ ମୋଟ ୩୩,୧୭୮ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଏବେ ସକ୍ରିୟ ଥିବା ୨,୦୩୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୨୮ଜଣ ଗୃହ ସଙ୍ଗରୋଧରେ ଏବଂ ୧୦୮ଜଣ କୋଭିଡ ଡାକ୍ତରଖାନା ଓ କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ବେଳେ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୪ରେ ସ୍ଥିର ରହିଥିବା ସରକାରଙ୍କ ୱେବସାଇଟରେ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଟିକା ଅଭାବରୁ ବାଲେଶ୍ୱରରେ ସାମୂହିକ ଟିକାକରଣ ଏବେ ବନ୍ଦ ରହିଛି । କେବଳ ବାଲେଶ୍ୱର ଓ ନୀଳଗିରି ଜେଲ ସମେତ ଏକ ଘରୋଇ ନର୍ସିଂ ହୋମରେ ୧୭୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଏବେ ସୁଦ୍ଧା ବାଲେଶ୍ୱର ଜିଲ୍ଲାରେ ମୋଟ ୬,୯୧,୭୨୫ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୫,୩୨,୦୦୯ଜଣ ପ୍ରଥମ ପାନ ଓ ୧,୫୯,୭୧୬ଜଣ ଦ୍ୱିତୀୟ ଡୋଜ ଟିକା ନେଇ ସାରିଥିବା ଜଣାପଡିଛି ।