ଆଜି ଦିନ ୧୧ଟାରେ ପ୍ରକାଶ ପାଇବ ଯୁକ୍ତ-୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ, ଏକ ଘଣ୍ଟା ପରେ ୱେବସାଇଟରେ ଦେଖିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଯୁକ୍ତ-୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଦିନ ୧୧ ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହେବ । ପରୀକ୍ଷା ଫଳ ବାହାରିବାର ଏକ ଘଣ୍ଟା ପରେ ଛାତ୍ରଛାତ୍ରୀ ୱେବସାଇଟରେ ସେମାନଙ୍କ ଫଳାଫଳ ଦେଖିପାରିବେ ।
ପରୀକ୍ଷା ଫଳ ଦେଖିବା ପାଇଁ ଛାତ୍ରଛାତ୍ରୀ www.chseodisha.nic.in ଏବଂ www.odisharesults.nic.in ରେ ଲଗ ଇନ୍ କରିପାରିବେ। ସାମ୍ସ ପୋର୍ଟାଲରେ ମଧ୍ୟ ଉପଲବ୍ଧ ହେବ ପରୀକ୍ଷା ଫଳ। ବିଭାଗୀୟ ମନ୍ତ୍ରୀ, ସିଏଚଏସଇ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅଧିକାରୀ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିବେ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ମାନେ ତାଙ୍କ ମାର୍କସିଟ ଓେବସାଇଟରୁ ଡାଉନଲୋଡ୍ କରିପାରିବେ । ସେପଟେ ଜୁନ ୮ ରେ ପ୍ରକାଶ ପାଇବ କଳା ଓ ଧନ୍ଦାମୁଳକ ଶିକ୍ଷା ରେଜଲ୍ଟ ।
ଚଳିତ ବର୍ଷ ମୋଟ୍ ୧ ହଜାର୧୪୫ ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥି ମଧ୍ୟରୁ ବିଜ୍ଞାନରେ ୯୧ ହଜାର ୩୭୯, ବାଣିଜ୍ୟରେ ୨୩ ହଜାର୧୪୮ ଜଣ, କଳାରେ ୨ ଲକ୍ଷ ୨୯ ହଜାର ୧୧୦ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧ ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ପରୀକ୍ଷା । ସିବିଏସଇ ବୋର୍ଡ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିସାରିଥିବାବେଳେ ସିଏଚଏସଇ ଅଧିନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ରେଜଲ୍ଟ ପାଇଁ ଅପେକ୍ଷା କରିଛନ୍ତି ।