ବେକାବୁ କରୋନା : ରାଜ୍ୟରେ ଆଉ ୧୦,୦୫୯ ସଂକ୍ରମିତ ଚିହ୍ନଟ, ୩ ମୃତ
ଭୁବନେଶ୍ୱର: ରାଜ୍ୟରେ କରୋନା ପରିସ୍ଥିତି ଭାୟବହ ହେବାରେ ଲାଗିଛି । ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ସଂକ୍ରମଣ । ଏହିକ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୦୫୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୮୩୩ ଚିହ୍ନଟ ହୋଇଥିବାବେଳେ ୪୨୨୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିଭଳି ଏହି ସଂକ୍ରମିତଙ୍କ ୮୭୨ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋର । ଏହାକୁ ମିଶାଇ ରାଜ୍ୟର ମୋଟ କୋଭିଡ୍ ମାମଲା ୧୧,୦୧,୬୦୬କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୦,୪୮,୭୩୨ ଜଣ ସୁସ୍ଥ ହୋଇଥିବାବେଳେ ୪୪,୩୪୯ ଜଣ ଚିକିତ୍ସାଧିନ ଅଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ଏହି ତଥ୍ୟ ପ୍ରଦାନ କରିଛି । ସେହିଭଳି ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୮୪୭୨ରେ ପହଞ୍ଚିଛି । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୮୮ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୪୬, ବାଲେଶ୍ବରରୁ ୨୭୮, ବରଗଡରୁ ୭୬, ଭଦ୍ରକରୁ ୧୩୮, ବଲାଙ୍ଗୀରରୁ ୨୧୬, ବୌଦ୍ଧରୁ ୧୫, କଟକରୁ ୮୭୦, ଦେବଗଡରୁ ୧୮, ଢେଙ୍କାନାଳରୁ ୫୦, ଗଜପତିରୁ ୮୨, ଗଞ୍ଜାମରୁ ୧୫୪, ଜଗତସିଂହପୁରରୁ ୧୪୨, ଯାଜପୁରରୁ ୨୧୨, ଝାରସୁଗୁଡାରୁ ୨୧୯, କଳାହାଣ୍ଡିରୁ ୧୨୩, କନ୍ଧମାଳରୁ ୩୬, କେନ୍ଦ୍ରାପଡାରୁ ୫୧, କେନ୍ଦୁଝରରୁ ୧୦୯, କୋରାପୁଟରୁ ୧୫୫, ମାଲକାନଗିରିରୁ ୧୭, ମୟୂରଭଞ୍ଜରୁ ୪୨୩, ନବରଙ୍ଗପୁରରୁ ୧୨୨, ନୟାଗଡରୁ ୧୦୨, ନୂଆପଡାରୁ୬୬, ପୁରୀରୁ ୨୭୨, ରାୟଗଡାରୁ ୧୩୧, ସମ୍ବଲପୁରରୁ ୫୭୦, ସୋନପୁରରୁ ୧୦୬, ସୁନ୍ଦରଗଡରୁ ୧୩୪୮ ଓ ଷ୍ଟେଟପୁଲରୁ ୭୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୦୧୬୦୬ରେ ପହଞ୍ଚିଛି ।