ଦେଶରେ ଆଉ ୪୧,୬୪୯ କରୋନା ସଂକ୍ରମିତ ଚିହ୍ନଟ ଓ ୫୯୩ ମୃତ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୫୦୦ ଟପିଛି। ଦେଶରେ ଆରୋଗ୍ୟ ହାର ୯୭.୩୭% ରହିଛି। ସେହିପରି ଦୈନିକ ସଂକ୍ରମଣ ହାର ୨.୩୪% ଏବଂ ସାପ୍ତାହିକ ହାର ୨.୪୨% ରହିଛି। ଅନ୍ୟପକ୍ଷରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମୋଟ ମୋଟ ୪୬.୬୪ କୋଟି ନମୁନା ପରୀକ୍ଷା କରାଯାଇ ଥିବାବେଳେ ୪୬.୧୫ କୋଟି ପାନ ଟିକା ଦିଆସାରିଥିବା ଜଣାଯାଇଛି।
ଶନିବାର ଗତ ୨୪ଘଣ୍ଟାରେ ୪୧ହଜାର ୬୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୯୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୭ହଜାର ୨୯୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୬ଲକ୍ଷ ୧୩ହଜାର ୯୯୩କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୩ହଜାର ୮୧୦ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୭ଲକ୍ଷ ୮୧ହଜାର ୨୬୩ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୫ହଜାର ୯୨୦ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।