ଦେଶରେ ଦୁଇ ମାସ ପରେ ୧ ଲକ୍ଷ ତଳେ କରୋନା : ଆଉ ୮୬,୪୯୮ ସଂକ୍ରମିତ ଓ ୨,୧୨୩ ମୃତ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧ ଲକ୍ଷରୁ ତଳକୁ ଥିବା ବେଳେ ମୃତ୍ୟୁସଂଖ୍ୟା ୨ ହଜାର ପାଖାପାଖି ରହିଛି। ଗତ ୬୩ ଦିନ ମଧ୍ୟରେ ଆଜି ସର୍ବନିମ୍ନ ଦୈନିକ ସଂକ୍ରମଣ ରିପୋର୍ଟ ହୋଇଛି। ର୍ତ୍ତମାନ ଦେଶରେ ପ୍ରାୟ ୧୩ ଲକ୍ଷ ସକ୍ରିୟ ମାମଲା ଥିବାବେଳେ ସୋମବାର ୧୮ ଲକ୍ଷ ୭୩ହଜାର ୪୮୫ଟି ନମୁନା ପରୀକ୍ଷା କରାଯାଇଥିଲା । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୬କୋଟି ୮୨ ଲକ୍ଷ୦୭ ହଜାର ୫୯୬ଟି ନମୁନା ପରୀକ୍ଷା କରାଯାଇଛି।
ମଙ୍ଗଳବାର ଗତ ୨୪ଘଣ୍ଟାରେ ୮୬ ହଜାର ୪୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ହଜାର ୧୨୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୧ଲକ୍ଷ ୮୨ହଜାର ୨୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୯ଲକ୍ଷ ୯୬ହଜାର ୪୭୩କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୫୧ହଜାର ୩୦୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୭୩ଲକ୍ଷ ୪୧ହଜାର ୪୬୨ଜଣ ସୁସ୍ଥ ହୋଇଥିବା ବେଳେ ୧୩ଲକ୍ଷ ୦୩ହଜାର ୭୦୨ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।