ଦେଶରେ ରେକର୍ଡ ଭାଙ୍ଗୁଛି କରୋନା : ଆଉ ୨,୨୨,୩୧୫ ସଂକ୍ରମିତ ଓ ୪,୪୫୪ ମୃତ

ନୂଆଦିଲ୍ଲୀ : ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଏଥିସହିତ ଦୈନିକ କରୋନା ସଂକ୍ରମଣ ମାମଲାରେ ଭାରତ ବିଶ୍ୱରେ ୧ ନମ୍ବରରେ ପହଞ୍ଚିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଅନ୍ୟପଟେ କରୋନା ଟିକାକରଣ ଚାଲିଥିବା ସତ୍ତ୍ୱେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବୃଦ୍ଧି ପାଇଛି ।
ସେହିପରି ଦେଶବ୍ୟାପୀ ତାଲାବନ୍ଦ ସହିତ କୋଭିଡ କଟକଣା ପାଳନ, ତାହାସହିତ ନମୁନା ପରୀକ୍ଷା ବୃଦ୍ଧି, ଟିକାକରଣ ଆଦିରୁ ସୁଫଳ ମିଳିବା ଆରମ୍ଭ ହୋଇଛି। ସୋମବାର ଗତ ୨୪ଘଣ୍ଟାରେ ୨ଲକ୍ଷ ୨୨ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ହଜାର ୪୫୪ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩ଲକ୍ଷ ୦୨ହଜାର ୫୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୬୭ଲକ୍ଷ ୫୨ହଜାର ୪୪୭କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୦୩ହଜାର ୭୨୦ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୩୭ଲକ୍ଷ ୨୮ହଜାର ୦୧୧ଜଣ ସୁସ୍ଥ ହୋଇଥିବା ବେଳେ ୨୭ଲକ୍ଷ ୨୦ହଜାର ୭୧୬ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।