ରେକର୍ଡ ଭାଙ୍ଗୁଛି କରୋନା : ଆଉ ୨,୯୫,୦୪୧ ସଂକ୍ରମିତ ଓ ୨୦୨୩ ମୃତ
ନୂଆଦିଲ୍ଲୀ : ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଏଥିସହିତ ଦୈନିକ କରୋନା ସଂକ୍ରମଣ ମାମଲାରେ ଭାରତ ବିଶ୍ୱରେ ୧ ନମ୍ବରରେ ପହଞ୍ଚିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଅନ୍ୟପଟେ କରୋନା ଟିକାକରଣ ଚାଲିଥିବା ସତ୍ତ୍ୱେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବୃଦ୍ଧି ପାଇଛି।
ଏହାରି ମଧ୍ୟରେ ବୁଧବାର ଗତ ୨୪ଘଣ୍ଟାରେ ୨ଲକ୍ଷ ୯୫ହଜାର ୦୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ହଜାର ୨୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୧ଲକ୍ଷ ୬୭ହଜାର ୪୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୫୬ଲକ୍ଷ ୧୬ହଜାର ୧୩୦କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୨ହଜାର ୫୫୩ରେ ପହଞ୍ଚିଛି । ଅନ୍ୟପକ୍ଷରେ ୧କୋଟି ୩୨ଲକ୍ଷ ୭୬ହଜାର ୦୩୯ଜଣ ସୁସ୍ଥ ହୋଇଥିବା ବେଳେ ୨୧ଲକ୍ଷ ୫୭ହଜାର ୫୩୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।