କରୋନାରେ ଆକ୍ରାନ୍ତ ହେଲେ ଚେନ୍ନାଇ ସୁପର କିଙ୍ଗସ୍ର ୩ ସଦସ୍ୟ
ନୂଆଦିଲ୍ଲୀ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ପଶିଲା କରୋନା । ଖେଳାଳିଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମେ କୋଲକାତା ନାଇଟ୍ ରାଇଡର୍ସର ୨ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଏବେ ଚେନ୍ନାଇ ଟିମର ୩ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
ସୂଚନା ଯେ, ଚେନ୍ନାଇ ଟିମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କାଶୀ ବିଶ୍ବନାଥନ୍, ବୋଲିଂ କୋଚ୍ ଏଲ୍ ବାଲାଜୀ ଏବଂ ବସ୍ର କ୍ଲିନର କରୋନା ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି । ଆଶ୍ବସ୍ତିକର କଥା ହେଉଛି ଟିମ୍ର ବାକି ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ଗତ ରବିବାର ଦିନ ସିଏସ୍କେର ସମସ୍ତ ଖେଳାଳୀ ଏବଂ ଟିମ୍ ସଦସ୍ୟଙ୍କ ଟେଷ୍ଟ କରାଯାଇଥିଲା ଏବଂ ସେଥିମଧ୍ୟରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ଚେନ୍ନାଇ ଟିମ ଦିଲ୍ଲୀରେ ଅଛି ଏବଂ ଆସନ୍ତା ବୁଧବାର ରାଜସ୍ଥାନ ରୟାଲସ୍ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ ଅଛି । ଏହାରି ମଧ୍ୟରେ ଦଳର ଅଭ୍ୟାସକୁ ମଧ୍ୟ ରଦ୍ଦ କରାଯାଇଛି । ସେପଟେ କୋଲକାତା ନାଇଟ ରାଇଡର୍ସର ୨ ଜଣ ଖେଳାଳୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇପିଏଲ ଜାରି କରିଥିବା ବୟାନ ଅନୁଯାୟୀ ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ଓ୍ବାରିୟରଙ୍କୁ କରୋନା ହୋଇଛି । ଉଭୟ ଖେଳାଳୀଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ମେଡିକାଲ ଟିମ ଲଗାତାର ଭାବେ ସେମାନଙ୍କ ଉପରେ ନଜର ରଖିଛନ୍ତି । ତେବେ ଆଶ୍ବସ୍ତିକର କଥା ହେଉଛି ଟିମର ବାକି ସମସ୍ତ ଖେଳାଳୀଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେବେ ଏହାରି ମଧ୍ୟରେ ଆଇପିଏଲ ଜାରି ରହିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ କୋଲକାତା ଏବେ ଚେନ୍ନାଇ ଟିମରେ କରୋନା ସଂକ୍ରମିତ ଚିହ୍ନଟ ହେବା ଆଗକୁ ଆଇପିଏଲ ଜାରି ରହିବା ନେଇ ସସ୍ପେନ୍ସ ଛିଡା କରିଛି ।