ଯୁବକଙ୍କୁ ହତ୍ୟା ଧମକ : ୨ ଗିରଫ
ଦୁଇଟି ବନ୍ଧୁକ, ୨୬ରାଉଣ୍ଡ ଗୁଳି, ଖଣ୍ଡା ଓ ଅତ୍ୟାଧୁନିକ ଛୁରୀ, ଫାର୍ସା, ୨ଟି ହାତ ତିଆରି ବୋମା, ୩ଟି ମୋବାଇଲ୍ ସହ ନଗଦ ୧୬ହଜାର ୫ଶହ ଟଙ୍କା ଜବତ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦିନକୁ ଦିନ ବଢିଚାଲିଛି ଅପରାଧ । କଥାକଥାକେ ଫୁଟୁଛି ଗୁଳି, ଯାଉଛି ଜୀବନ । ଆଉ ଚୋରି, ଛିନ୍ତାଇ, ଲୁଟ ତ ଏଠି ନିତିଦିନିଆ ପେସା । ଏହାରି ମଧ୍ୟରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଘଟଣାରେ ବାଲେଶ୍ଵର ଟାଉନ ଥାନା ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ୨୬ରାଉଣ୍ଡ ଗୁଳି, ଖଣ୍ଡା ଓ ଅତ୍ୟାଧୁନିକ ଛୁରୀ, ଫାର୍ସା, ୨ଟି ହାତ ତିଆରି ବୋମା, ୩ଟି ମୋବାଇଲ୍ ସହ ନଗଦ ୧୬ହଜାର ୫ଶହ ଟଙ୍କା ଜବତ ହୋଇଛି ।
ସୂଚନା ଯେ, ବାଲେଶ୍ୱର ଟାଉନ୍ ଥାନା ଅଧୀନସ୍ତ ମାଣିଖମ୍ବ ଅଞ୍ଚଳର ପୂର୍ବତନ କାଉନ୍ସିଲରଙ୍କ ପୁଅ ସରୋଜ କୁମାର ଲେଙ୍କା (୪୪) ଗତ ବୁଧବାର ପୂର୍ବାହ୍ନ ସାଢ଼େ ୭ଟା ସମୟରେ ସରୋଜ ମୀର୍ଜାପୋଖରୀ ନିକଟସ୍ଥ ବଜାରକୁ ମାଛ ଆଣିବା ପାଇଁ ଯାଇଥିଲେ । ସେଠାରେ ଗୋପାଳଗାଁ ଶ୍ରୀକଣ୍ଠପୁର ଅଞ୍ଚଳର ଚନ୍ଦନ ଜେନା (୨୨) ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ଏନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିବା ବେଳେ ଚନ୍ଦନର ସହଯୋଗୀ ମାଣିଖମ୍ବ ଅଞ୍ଚଳର ପ୍ରଦୀପ ମହାପାତ୍ର (୨୫) ସେଠାରେ ପହଞ୍ଚିଥିଲା । ଉଭୟେ ନିଜ ନିକଟରେ ଥିବା ବନ୍ଧୁକ ବାହାର କରି ସରୋଜର ଛାତି ଏବଂ ମୁଣ୍ଡରେ ଲଗାଇ ମାରିଦେବାର ଧମକ ଦେଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ସେମାନଙ୍କୁ ବିରୋଧ କରିବା ସହ ଅଟକାଇଥିଲେ । ଫଳରେ ଚନ୍ଦନ ଓ ପ୍ରଦୀପ ଘଟଣାସ୍ଥଳରୁ ଏକ ନୀଳ ରଙ୍ଗର କାର୍ (ନଂ. ଓଡ଼ି୦୧ଏଇ-୭୬୪୫) ଯୋଗେ ପଳାଇଥିଲେ । ଏନେଇ ସରୋଜ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ଟାଉନ୍ ଥାନା ମାମଲା (ନଂ. ୭୬ ।୨୧) ସହ ଦଫା ୩୪୧, ୨୯୪, ୩୦୭, ୫୦୬, ୩୪ ଆଇପିସି /୨୫/୨୭ ଆର୍ମସ ଆକ୍ଟ ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ବୁଧବାର ମଧ୍ୟରାତ୍ରରେ ରେମୁଣା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜାନୁଗଞ୍ଜ ଗୋଲେଇ ନିକଟସ୍ଥ ରାସ୍ତାରୁ ଟାଉନ୍ ଥାନା ପୋଲିସ ଚଢ଼ାଉ କରି ଉକ୍ତ କାର୍ ସହ ଚନ୍ଦନ ଓ ପ୍ରଦୀପଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ଉଭୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ନେଇ ଟାଉନ୍ ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ପ୍ରକାଶ କରିଛନ୍ତି । ସୂଚନା ଯେ, ପୂର୍ବରୁ ବହୁଚର୍ଚ୍ଚିତ ପାଗନଈ ହତ୍ୟା ମାମଲାରେ ଚନ୍ଦନର ସମ୍ପୃକ୍ତି ରହିଥିବାର ଜଣାପଡ଼ିଛି ।