ରକ୍ଷା ସୂତ୍ର ଓ ରକ୍ଷା ବନ୍ଧନ ! ଆସନ୍ତୁ ଜାଣିବା ରାଖୀ ପୂର୍ଣ୍ଣିମା ବିଷୟରେ କିଛି ଅଜଣା କଥା…
ଶ୍ରାବଣ ମାସ ପୂର୍ଣ୍ଣିମାକୁ ବଳଦେବଙ୍କର ଜନ୍ମତିଥି ମଧ୍ୟ କୁହାଯାଏ। ବଳଦେବଙ୍କର ରାଶି ହେଉଛି “ଶ୍ରବଣା ମକର” । ବିଷ୍ଣୁ ଶୟନ ଏକାଦଶୀ ଠାରୁ ପ୍ରଭୁ ସୁତଳ ଲୋକରେ ବାସ କରିଥାନ୍ତି। ସୁତଳ ଲୋକର ରାଜା ହେଉଛନ୍ତି ବଳି। ଯେହେତୁ ସୁତଳ ଲୋକର ଦ୍ୱାରପାଳ ହିସାବରେ ପ୍ରଭୁ ସେହିଠାରେ ନିବାସ କରୁଥିଲେ, ମା ଲକ୍ଷ୍ମୀ ନାରାୟଣଙ୍କୁ ଫେରାଇ ଆଣିବା ଲାଗି ବଳିଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଥିଲେ।ଏହି ସ୍ମୃତି ରେ ପ୍ରତ୍ୟେକ ରକ୍ଷା ବନ୍ଧନ ଦିନ ମହାଲଷ୍ମୀ ସୁତଳ ରାଜା ବଳିଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧି ଥାନ୍ତି।
ଜଗନ୍ନାଥ ସଂସ୍କୃତିରେ ଝୁଲଣ ଯାତ୍ରା ବା ଗହ୍ମା ପୂର୍ଣିମା :- ଶ୍ରାବଣ ଶୁଳ୍କ ଦଶମୀ ପାଖରୁ ଭାଦ୍ର କୃଷ୍ଣ ପ୍ରତିପଦା ସାତଦିନ ଧରି ପାଳନ କରାଯାଏ।ଶ୍ରାବଣ ପୂର୍ଣ୍ଣିମା ଦିନ ବଳଭଦ୍ରଙ୍କର ଜନ୍ମଉତ୍ସବ ବା ରାକ୍ଷୀ ଉତ୍ସବ ଶ୍ରୀମନ୍ଦିର ରେ ପାଳନ କରାଯାଏ। ଭବିଷ୍ୟ ପୁରାଣରେ କୁହାଯାଇଛି ଯେ, ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ଏହିଦିନ ଦକ୍ଷିଣ ହସ୍ତରେ ଅଭିମନ୍ତ୍ରିତ ରାକ୍ଷୀ ବନ୍ଧନ ଦ୍ଵାରା ମନୁଷ୍ୟ ଏକ ବର୍ଷ ନିମିତ୍ତ ବିପଦରୁ ମୁକ୍ତ ହୋଇଥାଏ।
ଇନ୍ଦ୍ର ବୁତ୍ରାସୁର ସହ ଯୁଦ୍ଧ କରିବା ପାଇଁ ଗଲାବେଳେ ଇନ୍ଦ୍ରାଣୀ ମଧ୍ୟ ଏହିଦିନ ତାଙ୍କ ଦକ୍ଷିଣ ହସ୍ତରେ ରାକ୍ଷୀ ବାନ୍ଧିଥିଲେ।
ତେଣୁ ଏହା କେବଳ ଯେ, ଭଉଣୀ ଭାଇ ହାତରେ ରାକ୍ଷୀ ବନ୍ଧନ କରିବ ତାହା ନୁହେଁ।
ସ୍ତ୍ରୀ ମଧ୍ୟ ସ୍ଵାମୀ ହାତରେ ତାହାର ରକ୍ଷା ନିମନ୍ତେ ରାକ୍ଷୀ/ରକ୍ଷା ସୂତ୍ର ବନ୍ଧନ କରିଥାଏ।
କୁନ୍ତୀ ମଧ୍ୟ କୌରବମାନଙ୍କ ଠାରୁ ପାଣ୍ଡବମାନଙ୍କୁ ରକ୍ଷା କରିବା ପାଇଁ କୃଷ୍ଣଙ୍କ ଦକ୍ଷିଣ ହସ୍ତରେ ରାକ୍ଷୀ ବନ୍ଧନ କରିଥିଲେ।
ଗୋପୀମାନେ ବିପତ୍ତିରୁ ରକ୍ଷା ପାଇବା ପାଇଁ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବନ୍ଧନ କରିଥିଲେ।
ବଳଭଦ୍ର ଅସୁରମାନଙ୍କ ସହ ଯୁଦ୍ଧ କରିବା ପାଇଁ ଗଲାବେଳେ ବ୍ରାହ୍ମଣ ଯେଉଁ ଉପବିତ(ପଇତା) ଦେଇଥିଲେ, ତାହାକୁ ମଧ୍ୟ ରକ୍ଷାସୂତ୍ର ଭାବରେ ଗ୍ରହଣ କରାଯାଏ।
“ଯେନବଦ୍ଧୋ ବଳିରାଜା ଦାନବେନ୍ଦ୍ର ମହାସୁରଃ ।
ତେନାତ୍ବାମପି ବଧ୍ନାମି ରକ୍ଷମାଂ ଚରମାଚଳ।।”
ମନ୍ତ୍ର ପାଠ କରି ଯଜମାନ ମାନଙ୍କୁ ଦକ୍ଷିଣ ହସ୍ତରେ ରାକ୍ଷୀ ବନ୍ଧନ କରନ୍ତି ଏବଂ ପଇତା ବା ଉପବିତ ପିନ୍ଧାଇଥାନ୍ତି।ଏହିପରି ଭାବରେ ରକ୍ଷାସୂତ୍ର ବା ରକ୍ଷାବନ୍ଧନ ଭାବ, ସ୍ନେହ, ପ୍ରେମର ଏକ ଉଦାହରଣ ସଦୃଶ ।
ଗହ୍ମପୂର୍ଣିମା ବା ବଳଦେବଙ୍କର ଜନ୍ମ :-
ଚତୁଃସମ ଅର୍ଥାତ ସମାନ ଚାରିଭାଗରେ ଥିବା ଚନ୍ଦନ,କର୍ପୂର,ଚୁଆ ଏବଂ କସ୍ତୁରୀ ବଳଭଦ୍ରଙ୍କ ସର୍ବାଙ୍ଗେ ଲାଗିହୁଏ। ତାପରେ ଅଳଙ୍କାର ଲାଗିହୁଏ। ବୈରାଣୀ ପାଟ ଲାଗିହୁଏ, ତାପରେ ନୂଆ ବସ୍ତ୍ର ମଧ୍ୟ ଲାଗିହୁଏ। ସୁନା ଏବଂ ପାଟ ସୂତାର ରାକ୍ଷୀ ଓ ଗୁଆର ମାଳି, ଏସବୁ ଲାଗି ହୋଇସାରିବା ପରେ ବଳଭଦ୍ରଙ୍କ ସାମ୍ନାରେ ଏକ କଳସ ସ୍ଥାପନ କରଯାଏ।ସେହି କଳସରେ ଷଷ୍ଠୀ ଦେବୀ, ସପ୍ତ ଚିରଞ୍ଜିବୀ ( ମାର୍କଣ୍ଡେୟ, ବଳି,ଅଶ୍ୱଥାମା, ହନୁମାନ, ପର୍ଶୁରାମ, ବୀଭିଷଣ,ବ୍ୟାସ), ଏମାନଙ୍କ ସହିତ ସେହିଦିନର ତିଥି,ରାଶୀ, ନକ୍ଷତ୍ର ଏବଂ ସପ୍ତର୍ଷି ମାନଙ୍କର ମଧ୍ୟ ପୂଜା ହୋଇଥାଏ।