ଆଜି ୪ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
- ୧୫ ଯାଏ ଲାଗି ରହିବ କାଳବୈଶାଖୀ
ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଆସନ୍ତା ୩ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ଘଡଘଡି ସହ ଝଡ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ ଗଜପତି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଲାଗିରହିବ।
କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଏବଂ ରାୟଗଡାରେ କାଳବୈଶାଖୀ ଅନୁଭୂତ ହେବ। ବିଜୁଳି ଘଡଘଡି ସହ ବର୍ଷା ପବନ ବହିବ। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହାକୁ ଲକ୍ଷ୍ୟ କରି ପାଣିପାଗ ବିଭାଗ ଉପରୋକ୍ତ ଜିଲାଗୁଡିକୁ ସତର୍କ ସୂଚନା ଜାରି କରିଛି। ଜିଲାପାଳମାନେ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ(ଏସ୍ଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ୧୪ ତାରିଖ ସକାଳରୁ ୧୫ ତାରିଖ ପୂର୍ବାହ୍ନ ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତୀ ସମୟରେ ପାଗରେ ସାମାନ୍ୟ ପରିବର୍ତନ ଆସିବା ସହ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ୧୩ ତାରିଖରେ ଆରବ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଘନୀଭୂତ ହୋଇ ୧୫ କିମ୍ବା ୧୬ ତାରିଖ ସକାଳ ସୁଦ୍ଧା ବାତ୍ୟାର ରୂପ ନେଇପାରେ। ଏହା ଆରମ୍ଭରେ ପଶ୍ଚିମ ଉପକୂଳ ଦୂରରେ ସମାନ୍ତରାଳରେ ଗତି କରିବ। କେତେକ ମଡେଲ୍ କହୁଛି ଯେ ଏହା ଗୁଜୁରାଟ ଆଡେ ମୁହାଁଇବାର ସମ୍ଭାବନା ରହିଛି। ତେବେ ମହାରାଷ୍ଟ୍ରରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଯଦି ଏଭଳି ହୁଏ ତେବେ ୧୮ ତାରିଖରେ ସ୍ଥଳ ଭାଗ ଛୁଇଁପାରେ। ଏହାଦ୍ବାରା କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜୁରାଟରେ ପ୍ରବଳ ବର୍ଷା ହୋଇପାରେ। ତେବେ ଲଘୁଚାପ ଅବପାତ ରୂପ ନେବା ପରେ ସଠିକ୍ ଭାବେ ପୂର୍ବାନୁମାନ କରାଯାଇ ପାରିବ। ତେବେ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ରହିବ ନାହିଁ। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ।