ଅନ୍ଧାରୁଆ ରାସ୍ତାରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ

- ମିଳିନି ପରିଚୟ : କଟାହାତ ଉଦ୍ଧାର, ନିକଟରେ ପଡିଛି ବାଇକ୍
ଭୁବନେଶ୍ୱର : ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ରାଜଧାନୀରେ ହଇଚଇ ସୃଷ୍ଟି କରିଥିବା କଟାମୁଣ୍ଡ ଘଟଣା ପରେ ପୁଣି ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ରାସ୍ତାରୁ କଟାହାତ ଉଦ୍ଧାର ହୋଇଛି । ଚନ୍ଦକା ଥାନା ପୋଲିସ୍ ତଦନ୍ତ କରି ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରିଛି ।
ଗୁରୁବାର ସକାଳ ସମୟରେ ରାସ୍ତା କଡ଼ରେ ମୃତଦେହ ବିଚ୍ଛିନ୍ନ ହୋଇ ପଡିଥିବା ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ସେମାନେ ନିକଟସ୍ଥ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଛି । ତେବେ ମୃତ ଦେହ ପଡିଥିବା ସ୍ଥାନରୁ କିଛି ଦୂରରେ ଯୁବକଙ୍କ କଟା ହାତ ଉଦ୍ଧାର ହୋଇଥିବା ବେଳେ ମୃତ ଦେହ ନିକଟରେ ଏକ ଦାମୀ ବାଇକ୍ ମଧ୍ୟ ପଡିଛି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଚନ୍ଦକା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ସୂଚନା ଯେ, ଗତ କିଛି ଦିନ ତଳେ ଅନ୍ଧାରୁଆ ରାସ୍ତାରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିଥିଲା । ଯାହାପରେ ହଇଚଇ ସୃଷ୍ଟି ହୋଇଯାଇଥିଲା । କିନ୍ତୁ ଘଟଣାର କିଛି ଦିନ ପରେ ପୋଲିସ ଘଟଣାର ଖୁଲାସା କରିଥିଲା । ମହିଳାଙ୍କ ହତ୍ୟା ପରେ ଏଠାରେ କଟାମୁଣ୍ଡ ପକାଯାଇଥିଲା । ତେବେ ସେହି ମାମଲାରୁ ପୋଲିସ ପରକୀୟା ପ୍ରୀତି ସମ୍ପର୍କର ସୁରାକ୍ ପାଇ କିଛି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି ।