ଟ୍ରକ ପଛପଟୁ ପିଟିଲା ଟ୍ରକ, ଜଣେ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ସୁଆଁଳ ନିକଟରେ ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ଆଉ ଏକ ଟ୍ରକ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ମାଧବ ପାତ୍ର ।
ସୂଚନା ଯେ, ଶନିବାର ଭୋର ସମୟରେ ମାଧବ ଯାଜପୁର ଟାଟା ମାଇନ୍ସରୁ ଆଇରନ ବୋଝେଇ ଟ୍ରକକୁ ନେଇ ତାଳଚେର ଅଭିମୁଖେ ଯାଉଥିଲେ। କାମାକ୍ଷାନଗର ଥାନା ବଡ଼ସୁଆଁଳ ଠାରେ କୌଣସି କାରଣରୁ ଆଗରେ ଯାଉଥିବା ଏକ ଟ୍ରକକୁ ପଛରୁ ପିଟି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ କାମାକ୍ଷାନଗର ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି l