ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ
ପୁରୀ : ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ । ସୋମବାର ନୟାଗଡ ବନଖଣ୍ଡରୁ ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ୍ ପୁରୀରେ ଆସି ପହଞ୍ଚିଛି । ଏଥିରେ ସମୁଦାୟ ୧୭ଟି ଧଉରା ଓ ଅସନ କାଠ ରହିଛି ।
ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି । ତେବେ ୭୯୬ ଖଣ୍ଡରୁ ଆଜି ପର୍ଯ୍ୟନ୍ତ ମୋଟ୍ ୭୯ ଖଣ୍ଡ ବର୍ତ୍ତମାନ ସୁଦ୍ଧା ପୁରୀରେ ପହଞ୍ଚିଥିବା ବେଳେ ବଳକା କାଠ ପର୍ଯ୍ୟାୟକ୍ରମେ ଆସି ପହଞ୍ଚିବ । ତେବେ ଗତ ସରସ୍ବତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା । ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତ କଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି ।