ରାଜ୍ୟରେ ଆହୁରି ବଢିବ ତାତି
ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରକୋପ । ଫଳରେ ପାରଦ ଏବେ ଉପରମୁହାଁ ହୋଇଛି । ଆସନ୍ତା ୩ ଦିନରେ ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଅର୍ଥାତ୍ ଆସନ୍ତା ୨ ଦିନରେ ରାଜ୍ୟର କିଛି ସ୍ଥାନରେ ପାରଦସ୍ତର ୪୪ ଡିଗ୍ରି ସ୍ପର୍ଶ କରିବ। ୫ଟି ସହରରେ ପାରଦ ରବିବାର ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ୪୨ ଡିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହା ପଛକୁ ରହିଛି ସୋନପୁର। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରି ରେକର୍ଡ ହୋଇଛି। ଏହାସହ ଭବାନୀପାଟଣା, ବୌଦ୍ଧ ଓ ମାଲକାନଗିରିର ଦିନ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଆଗକୁ ଏହି ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି।
ପାଣିପାଗ ବିଭାଗର କହିବାନୁସାରେ, ବର୍ତ୍ତମାନ ରାଜ୍ୟରେ ତାତି ପ୍ରକୋପ ଅଧିକ ରହିବ । ଆସନ୍ତା ୨-୩ ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ସେଲ୍ସିୟସ ବଢ଼ିପାରେ । ତା’ ପରେ କିଛିଦିନ ଅପରିବର୍ତ୍ତିତ ରହିବ । ଏଥିଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଟପିପାରେ । ରବିବାର ସୋନପୁର ତାପମାତ୍ରା ୪୧.୮, ମାଲକାନଗିରି ୪୦.୫, ବୌଦ୍ଧ ୪୦.୫, ଭବାନୀପାଟଣା ୪୦.୨ ଡିଗ୍ରୀ ଥିଲା । ସେହିପରି ଅନୁଗୁଳର ତାପମାତ୍ରା ୩୯.୯ ଡିଗ୍ରୀ ଥିବାବେଳେ ତାଳଚେର ୩୯.୭, ଝାରସୁଗୁଡ଼ା ୩୯.୫, ହୀରାକୁଦ ୩୯.୧, ସମ୍ବଲପୁର ୩୯, ନୟାଗଡ଼ ୩୯ ଓ ଭୁବନେଶ୍ୱର ୩୮.୬ ଡିଗ୍ରୀ ରେକର୍ଡ ହୋଇଥିଲା । ଅନୁମାନ କରାଯାଉଛି ଯେ, ସୋମବାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେତେକ ସ୍ଥାନରେରେ ଧୂଳିଝଡ଼ ଆଶଙ୍କା ଅଛି । ସ୍ଥାନେ ସ୍ଥାନେ ପବନର ବେଗ ୩୦ରୁ ୪୦ କିମି ରହିପାରେ ବୋଲି ଅନୁମାନ କରାଯାଉଛି ।