ସିବିଏସ୍ଇ ଏବଂ ସିଆଇଏସସିର ମୂଲ୍ୟାଙ୍କନ ଯୋଜନାକୁ ସୁପ୍ରିମକୋର୍ଟଙ୍କ ଅନୁମତି

- ବାତିଲ ହେବନି ସିବିଏସ୍ଇ କମ୍ପାର୍ଟମେଣ୍ଟ ପରୀକ୍ଷା
ନୂଆଦିଲ୍ଲୀ : କୋଭିଡ କାରଣରୁ ନିୟମିତ ପରୀକ୍ଷା ବାତିଲ ହୋଇଥିବାରୁ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ସିବିଏସ୍ଇ ଏବଂ ସିଆଇଏସସିଇ ଦ୍ୱାରା ପ୍ରସ୍ତାବିତ ଯୋଜନାକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ନିୟମିତ ପରୀକ୍ଷା ବିକଳ୍ପ ଖୋଜୁଥିବା କିଛି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କରି ଜଷ୍ଟିସ୍ ଏଏମ୍ ଖାନୱିଲକର ଏବଂ ଦିନେଶ ମହେଶ୍ୱରୀଙ୍କ ଅବସରକାଳୀନ ଖଣ୍ଡପୀଠ ଶିକ୍ଷା ବୋର୍ଡର ପ୍ରସ୍ତାବକୁ “ଉଚିତ ଏବଂ ଯୁକ୍ତିଯୁକ୍ତ” ବୋଲି କହିଛନ୍ତି ।
ସିବିଏସ୍ଇ କମ୍ପାର୍ଟମେଣ୍ଟ ପରୀକ୍ଷା ୨୦୨୧ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ୧,୧୫୨ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ଯେ, ସିବିଏସ୍ଇ ନିୟମିତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଥିର କରିଥିବା ମୂଲ୍ୟାଙ୍କନ ଯୋଜନା ଆଧାରରେ କମ୍ପାର୍ଟମେଣ୍ଟ ଛାତ୍ରଛାତ୍ରୀମାନଙ୍କ ମୂଲ୍ୟାଙ୍କନ କରୁ। ଏନେଇ ସିବିଏସ୍ଇକୁ ନିର୍ଦେଶ ଦେବା ପାଇଁ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏଭଳି କରିବାକୁ ମନା କରିଦେଇଛନ୍ତି । ସେହିପରି ସୁପ୍ରିମକୋର୍ଟ କହିଛନ୍ତି ଯେ, କମ୍ପାର୍ଟମେଣ୍ଟ, ବେସରକାରୀ ଏବଂ ପୁନଃ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବ ନାହିଁ। ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ପରିସ୍ଥିତି ଅନୁକୂଳ ହେଲେ ସେମାନେ ଶାରୀରିକ ପରୀକ୍ଷା ପାଇଁ ହାଜର ହେବେ ।