ଖୁଡିକୁ ହତ୍ୟା ପରେ ଆତ୍ମହତ୍ୟା କଲା ପୁତୁରା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ଏକସୁଧା ଗାଁର ଅଭାବନୀୟ ଘଟଣା । ଖୁଡିକୁ ହାଣିବ ପରେ ପୁତୁରା ରଶି ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଯେ, ଏକସୁଧା ଗାଁର ପ୍ରସନ୍ନ ଜେନାଙ୍କ ପୁଅ ଦେବୀ ପ୍ରସାଦ ଜେନା ତାଙ୍କର ନିଜ ଖୁଡି ଲିପ୍ସା ଜେନାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଲିପ୍ସା ଦାଣ୍ଡକୁ ଅଳିଆ ଫୋପାଡିବା ପାଇଁ ଆସିଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପୁତୁରା ଦେବୀ ପ୍ରସନ୍ନ ତାଙ୍କୁ ଏକ ଧାରୁଆ ଟାଙ୍ଗିଆରେ ମୁଣ୍ଡକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ଖୁଡିଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ହତ୍ୟାକାରୀ ପୁତୁରା ଗାଁ ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଛି । ତେବେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ସେହି କାରଣରୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଜଗତସିଂହପୁର ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।