ସେୟାର ବଜାରରେ ବଢ଼ିଲା ସେନସେକ୍ସ

ନୂଆଦିଲ୍ଲୀ : ଦେଶରେ କରୋନାର ଭୟାବହତା ଜାରି ରହିଥିଲେ ସୁଦ୍ଧା ସେୟାର ବଜାର ଲଗାତାର ଭାବେ ବୃଦ୍ଧିପାଉଥିବା ଦେଖିବାକୁ ମିଳିଛି । ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୧୨୨ ଅଙ୍କ ବୃଦ୍ଧି ପାଇ ୪୯,୦୬୬.୬୪ରେ ଖୋଲିଥିଲା । ସକାଳ ୯ଟା ୩୦ ସୁଦ୍ଧା ସେନସେକ୍ସ ୩୯୮ ଅଙ୍କ ବୃଦ୍ଧି ପାଇ ୪୯,୩୪୨.୮୮ରେ ପହଞ୍ଚିଯାଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୭ ପଏଣ୍ଟ ବୃଦ୍ଧି ପାଇ ୧୪,୭୧୦.୫୦ରେ ଖୋଲିଥିଲା । ସକାଳ ସାଢେ ୯ଟା ସୁଦ୍ଧା ୧୧୧ ପଏଣ୍ଟ ବୃଦ୍ଧି ପାଇ ୧୪,୭୬୪.୪୦ରେ ପହଞ୍ଚିଯାଇଥିଲା । ଏହା ପୂର୍ବରୁ ସୋମବାର ଏବଂ ମଙ୍ଗଳବାର ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବୁଧବାର କାରବାର ସମୟରେ ୧୧୪୨ଟି ସେୟାରରେ ବୃଦ୍ଧି ଏବଂ ୨୪୨ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି ।
ବୁଧବାର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ମଜବୁତ ହୋଇଛି । ଟଙ୍କାର ମୂଲ୍ୟ ୧୫ ପଇସା ବୃଦ୍ଧି ପାଇ ୭୪.୫୧ ଟଙ୍କା ପ୍ରତି ଡଲାର ଖୋଲିଥିଲା । ଗତ ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୪.୬୬ରେ ବନ୍ଦ ହୋଇଥିଲା । ଗତ ମଙ୍ଗଳବାର ମଧ୍ୟ ସେୟାର ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । କାରବାର ସମୟରେ ସେନସେକ୍ସ ୫୫୭.୬୩ ଅଙ୍କ ବୃଦ୍ଧି ପାଇ ୪୮,୯୪୪.୧୪ରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ୧୬୮.୦୫ ଅଙ୍କ ବୃଦ୍ଧି ପାଇ ୧୪,୬୫୩.୦୫ରେ ବନ୍ଦ ହୋଇଥିଲା ।