ବୁଢ଼ାବଳଙ୍ଗରେ ବନ୍ୟା ଆଶଙ୍କା!

ଭୁବନେଶ୍ୱର : ଲ୍ୟାଣ୍ଡଫଲ୍ ପରେ ଆଜି ଓଡ଼ିଶା ଛା଼ଡ଼ିବ ବାତ୍ୟା ‘ୟାସ୍’। ଗୁରୁବାର ସକାଳେ ଡିପ ଡିପ୍ରେସନ୍ ର ରୂପ ନେଇ ଝାଡଖଣ୍ଡ ଆଡେ ମୁହାଁଇବ । ହେଲେ ଏହା ପୂର୍ବରୁ ମୟୂରଭଞ୍ଜରେ ପ୍ରତି ଘଣ୍ଟାରେ ୬୦ କିଲୋମିଟର ବେଗରେ ପବନ ବହୁଛି ଓ କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଜିଲାରେ ପ୍ରବାହିତ ବୁଢ଼ାବଳଙ୍ଗ ଓ ଅନ୍ୟାନ୍ୟ ଶାଖା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଦିନତମାମ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ବନ୍ୟା ବିପଦ ଆଶଙ୍କା ବଢ଼ିଯାଇଛି। ଖୁବ୍ ଶୀଘ୍ର ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି। ବୁଢାବଳଙ୍ଗର ବିପଦ ସଙ୍କେତ ୩୦.୯୨ ମିଟର ଥିବା ବେଳେ ରିପୋର୍ଟ ବେଳକୁ ଜଳସ୍ତର ୨୩.୨୦ ମିଟରରେ ପହଞ୍ଚିଛି।
ଏନେଇ ଭାରତର ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ‘ୟାସ୍’ ଇତିମଧ୍ୟରେ ଦୁର୍ବଳ ହୋଇ ବାତ୍ୟା ରୂପକୁ ଓହ୍ଲାଇ ଆସିଛି। ଏହାସତ୍ତ୍ୱେ ଗୁରୁବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି। ସେହିପରି ଗୁରୁବାର ସକାଳ ସୁଦ୍ଧା ଅନୁଗୁଳ, ଦେବଗଡ, ସୁନ୍ଦରଗଡ ଏବଂ ସମ୍ବଲପୁରର କିଛି ଅଞ୍ଚଳରେ ଅତି ଭୀଷଣ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ସାମୁଦ୍ରିକ ଜୁଆର କମିଛି ବୋଲି ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।
ସେହିପରି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟାଜନିତ କୌଣସି ବଡ ଧରଣର କ୍ଷୟକ୍ଷତି ଘଟିନାହିଁ । ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ବିଶେଷ କ୍ଷତି ହୋଇନାହିଁ । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ପାଣି ଜମି ରହିବାରୁ କିଛିସ୍ଥାନରେ ଫ୍ଲାସ୍ ଫ୍ଲଡ୍ ହୋଇଛି । ଶିମିଳିପାଳରେ ଅଧିକ ବର୍ଷା ହୋଇଥିବାରୁ ବୁଢାବଳଙ୍ଗରେ ଫ୍ଲାସ୍ ଫ୍ଲଡ୍ ହେବାର ସମ୍ଭାବନା ରହିଛି । ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାରେ ପାଣିନାହିଁ । ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନାହିଁ । ଯଦି ହୁଏ ତେବେ ତଳିଆ ଅଂଚଳ ଲୋଙ୍କୁ ସ୍ଥାନାନ୍ତର କରାଯିବା ଉପରେ ପ୍ରାଥମିକତା ଦିଆଯିବ । ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଗଛପଡି ଦୁଇ ଜଣଙ୍କର ମୃତ୍ୟୁ ଅଭିଯୋଗ ରହିଛି । ଏହାର ତଦନ୍ତ କରାଯାଉଛି । ବାତ୍ୟା ପ୍ରଭାବରେ ନିଳଗିରି ଅଂଚଳରେ ବହୁ ଗଛ ଉପୁଡିପଡିଛି । ତେବେ ବିଦ୍ୟୁତ୍ ଭିତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ । ମୟୁରଭଞ୍ଜ ଜିଲାର ୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ସମୁଦ୍ର ଜୁଆର ଯୋଗୁଁ ବାହାନଗା , ରେମୁଣା, ବାଲେଶ୍ୱର ସଦର, ଧାମରାର କିଛି ଗ୍ରାମରେ ସୁମଦ୍ର ପାଣି ମାଡିଯାଇଛି । କିଛି ଗ୍ରାମରେ ପାଣି ଜମି ରହିଥିବା ସୂଚନା ମିଳିଛି ।
ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଜଳଭଣ୍ଡାରକୁ ନିୟନ୍ତ୍ରଣ କରାଯାଉଛି। ଯେଭଳି ଫ୍ଲାସ୍ ଫ୍ଲଡ୍ ସ୍ଥିତି ହେବ ନାହିଁ, ସେ ନେଇ ଉଦ୍ୟମ ଜାରି ରହିଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି, ଅଧିକାରୀମାନେ ଉଭୟ ଜଳଭଣ୍ଡାର ଏବଂ ନଦୀକୁ ଜଗି ରହିଛନ୍ତି। ୧୮୬ମିମି ବର୍ଷା ହୋଇଛି ଓ ଗୋଟିଏ ଗୋଟିଏ ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ତଳମୁଣ୍ଡରେ ସ୍ଥିତି ଗମ୍ଭୀର ଥିବାରୁ କେଉଁଠି କେତେ ଅଧିକ ସମୟ ଜଳ ଅଟକାଯାଇପାରିବ, ସେ ନେଇ ଉଦ୍ୟମ କରାଯାଉଛି। ଏହା ସତ୍ତ୍ବେ ମଧ୍ୟମ ଧରଣର ବନ୍ୟା ବୁଢାବଳଙ୍ଗରେ ଆସିପାରେ ବୋଲିି ଶ୍ରୀ ରଥ ସୂଚନା ଦେଇଛନ୍ତି।